ଭୁବନେଶ୍ୱର, ୫ /୯ : ପ୍ରଯୁକ୍ତି, ନବସୃଜନ ଓ ଦକ୍ଷତା ବିକାଶ ମାଧ୍ୟମରେ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଭବିଷ୍ୟତମୁଖୀ କରିବା ଦିଗରେ ଆଜି ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଯୋଗ ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଅଧିକ ଦକ୍ଷ, ନବସୃଜନଶୀଳ ଓ ଡିଜିଟାଲ୍ ଭାବେ ସକ୍ଷମ କରିବାରେ ନୂତନ ସମ୍ଭାବନା ସୃଷ୍ଟି କରିବ।
ଏହି ଅବସରରେ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଉଚ୍ଚଶିକ୍ଷା ବିଭାଗ ତଥା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏହି ସହଯୋଗକୁ ସ୍ୱାଗତ କରିବା ସହ ଏହା ମାଧ୍ୟମରେ ରାଜ୍ୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜିଟାଲ୍ ଦକ୍ଷତା, କୃତ୍ରିମ ବୁଦ୍ଧିମତ୍ତା (AI), ଉଦୀୟମାନ ପ୍ରଯୁକ୍ତି, ନିଯୁକ୍ତିଯୋଗ୍ୟତା ଓ ଉଦ୍ୟୋଗିତା ଭଳି କ୍ଷେତ୍ରରେ ଯୁବପିଢ଼ିକୁ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ସହଯୋଗର ପରିକଳ୍ପନା ଓ ଦିଗନିର୍ଦ୍ଦେଶନରେ ଉଚ୍ଚଶିକ୍ଷା ବିଭାଗର କମିଶନର-କମ୍-ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, IASଙ୍କ ରଣନୈତିକ ଦୃଷ୍ଟିକୋଣ ଓ ମାର୍ଗଦର୍ଶନ ଗୁରୁତ୍ୱପୂର୍ଣ୍ଣ ରହିଛି। NEP 2020ର ଲକ୍ଷ୍ୟ ପୂରଣ ସହ ପ୍ରଯୁକ୍ତି, ନବସୃଜନ ଓ କ୍ଷମତା ବିକାଶକୁ ଉଚ୍ଚଶିକ୍ଷା ସହ ଯୋଡ଼ିବା ଉପରେ ତାଙ୍କ ଗୁରୁତ୍ୱ ଏହି ସହଯୋଗକୁ ଏକ ସୁସଂଗଠିତ ଦିଗ ପ୍ରଦାନ କରିଛି।
OKCLର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଲ ଏହି MoUକୁ ଓଡ଼ିଶାର ଜ୍ଞାନ, ଦକ୍ଷତା ଓ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ OKCLର ଅବଦାନକୁ ଆହୁରି ବ୍ୟାପକ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନୁଷ୍ଠାନଗୁଡ଼ିକ ପାଇଁ ବ୍ୟାପକ, ପ୍ରଯୁକ୍ତିଭିତ୍ତିକ ଓ ଫଳାଫଳମୁଖୀ ସମାଧାନ ବିକଶିତ କରିବାର ସୁଯୋଗ ସୃଷ୍ଟି ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
MoU ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଯୋଗ ଦକ୍ଷତା, ଡିଜିଟାଲ୍ ସାକ୍ଷରତା, କ୍ୟାରିୟର ଗାଇଡାନ୍ସ, AI ଓ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ କାର୍ଯ୍ୟକ୍ରମ ଆୟୋଜନର ସୁଯୋଗ ରହିବ। ଏହା ସହିତ ଡିଜିଟାଲ୍ ନିଯୁକ୍ତିଯୋଗ୍ୟତା, ଏକାଡେମିକ୍ କ୍ରେଡିଟ୍ ଲର୍ଣ୍ଣିଂ, ଉଦ୍ୟୋଗିତା, ଇଣ୍ଟର୍ନସିପ୍, ଆପ୍ରେଣ୍ଟିସ୍ସିପ୍ ଓ କାର୍ଯ୍ୟଭିତ୍ତିକ ଶିକ୍ଷାର ସମ୍ଭାବନା ମଧ୍ୟ ରହିଛି। ଅଧ୍ୟାପକମାନଙ୍କ ପାଇଁ AI Orientation, ଡିଜିଟାଲ୍ ଦକ୍ଷତା ଓ Faculty Development Programme ମାଧ୍ୟମରେ କ୍ଷମତା ବୃଦ୍ଧିର ସୁଯୋଗ ରହିବ। ଅନୁଷ୍ଠାନଗୁଡ଼ିକ ପାଇଁ ଗୁଣାତ୍ମକ ମାନ, ଆକ୍ରେଡିଟେସନ୍, NEP 2020 କାର୍ଯ୍ୟାନ୍ୱୟନ, ଡିଜିଟାଲ୍ ଗଭର୍ନାନ୍ସ, ନବସୃଜନ, ଗବେଷଣା, ଉଦ୍ୟୋଗିତା ଓ ଶିଳ୍ପ ସହଭାଗିତା ଭଳି କ୍ଷେତ୍ରରେ
ସହଯୋଗର ବ୍ୟାପକ ପରିସର ରହିଛି।