ପାକ୍ ପ୍ରତିରକ୍ଷାମନ୍ତ୍ରୀଙ୍କ ବଡ ବୟାନ, ଭାରତରେ ପଶିକି ମାରିବୁ

ନୂଆଦିଲ୍ଲୀ, ୦୪/୦୪ : ପାକିସ୍ତାନ ପକ୍ଷରୁ ପୁଣି ଥରେ ଭାରତ ପାଇଁ ଆକ୍ରମଣାତ୍ମକ ଏବଂ ଉତ୍ତେଜନାମୂଳକ ବୟାନବାଜି କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ବାହାସ୍ଫୋଟ ମାରି ଦାବି କରିଛନ୍ତି ଯେ ତାଙ୍କ ସେନା ବିଗତ ବର୍ଷ ଭାରତ ବିରୋଧରେ ଲଢ଼େଇରେ ବିଜୟ ହାସଲ କରିଥିଲା ଏବଂ ଆଗକୁ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଅଛି। ଖ୍ୱାଜା ଆସିଫ୍ ଭାରତକୁ ଧମକ ଦେଇ କହିଛନ୍ତି ଯେ ବିଗତ ବର୍ଷ ମେ’ ମାସରେ କେବଳ ଆକାଶମାର୍ଗରେ ଲଢ଼େଇ ହୋଇଥିଲା କିନ୍ତୁ ଏଥର ପାକିସ୍ତାନର ସେନା ଭାରତର ସୀମା ଭିତରକୁ ପଶିଯିବ। ଏକ ଟିଭି କାର୍ଯ୍ୟକ୍ରମରେ କହିବା ବେଳେ ଖ୍ୱାଜା ଆସିଫ୍ କହିଛନ୍ତି, ‘ଭାରତ ବିଗତ ବର୍ଷ ଆମ ଉପରେ ଆକ୍ରମଣ କରିଥିଲା ଏବଂ ଯଦି ସେମାନେ ପୁଣି ଚେଷ୍ଟା କରିବେ ତେବେ ସେମାନଙ୍କୁ ଗତ ବର୍ଷ ଅପେକ୍ଷା ବଡ଼ ଅପମାନ ସହିବାକୁ ପଡ଼ିବ। ଏଥର ମୁହାଁମୁହିଁ ପରିସ୍ଥିତି ୨୦୦ ରୁ ୨୫୦ କିଲୋମିଟର ମଧ୍ୟରେ ସୀମିତ ରହିବ ନାହିଁ। ଆମେ ସେମାନଙ୍କ ଅଞ୍ଚଳ ଭିତରକୁ ପଶିବୁ ଏବଂ ଭିତରେ ପଶି ସେମାନଙ୍କୁ ମାରିବୁ।’

ପାକିସ୍ତାନର ଶେହବାଜ ଶରିଫ୍ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ନିଜର ବୟାନବାଜି ପାଇଁ ଜଣାଶୁଣା। ବିଗତ ବର୍ଷ ମେ’ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନର ଲଢ଼େଇ ପରଠାରୁ କ୍ରମାଗତ ଭାବେ ସେ କିଛି ନା କିଛି କହି ଚାଲିଛନ୍ତି। ବଡ଼ବଡ଼ିଆ କଥା ଯୋଗୁଁ ଆସିଫ୍‌ଙ୍କ କଥା ପ୍ରାୟତଃ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ। ଖ୍ୱାଜା ଆସିଫ୍‌ଙ୍କ ଏହି ମନ୍ତବ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ପରେ ଆସିଛି। ରାଜନାଥ ସିଂହ ନିକଟରେ କେରଳରେ ‘ଅପରେସନ୍ ସିନ୍ଦୂର’ ର ଉଲ୍ଲେଖ କରିଥିଲେ। ଏହି ସମୟରେ ରାଜନାଥ ସିଂହ କହିଥିଲେ ଯେ ପାକିସ୍ତାନ ପକ୍ଷରୁ କରାଯାଇଥିବା କୌଣସି ବି ଦୁଃସାହସ ଏକ ଅଭୂତପୂର୍ବ ଏବଂ ନିର୍ଣ୍ଣାୟକ ଜବାବକୁ ନିମନ୍ତ୍ରଣ ଦେବ। ଭାରତ ପକ୍ଷରୁ ବାରମ୍ବାର ଦିଆଯାଉଥିବା ବୟାନ ପହଲଗାମ ଆକ୍ରମଣର ବର୍ଷପୂର୍ତ୍ତି ପୂର୍ବରୁ ତାର ରଣନୈତିକ ଚିନ୍ତାକୁ ଦର୍ଶାଉଛି। ଭାରତକୁ ବୁଝିବା ଉଚିତ୍ ଯେ ଇସଲାମାବାଦ ପକ୍ଷରୁ ଭାରତର ଯେକୌଣସି ଆକ୍ରମଣର ଜବାବ ତୁରନ୍ତ, ସଠିକ୍ ମାପରେ ଏବଂ ନିର୍ଣ୍ଣାୟକ ଭାବେ ଦିଆଯିବ ବୋଲି ଖ୍ୱାଜା ଆସିଫ୍ କହିଛନ୍ତି।