ପାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ତଳୁ ମିଳିଲା ୩୦ ମିଲିୟନ ନଗଦ ଅର୍ଥ

କରାଚି ୩୧/୫: ପାକିସ୍ତାନର କରାଚିରେ ନିକଟରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ତଳୁ ପ୍ରାୟ ୩୦ ମିଲିୟନ ନଗଦ ଅର୍ଥ ମିଳିଛି। ବିମାନଟି କରାଚି ଅନ୍ତରାଷ୍ଟ୍ରୀୟ ବିମାନ ନିକଟରେ କ୍ରାଶ ହୋଇଥିଲା ଏବଂ ଏହି ଭୟାନକ ଦୁର୍ଘଟଣାରେ ୯୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ଅଧିକାରୀ କହିଛନ୍ତି ବିମାନ ଦୁର୍ଘଟଣାର ଯାଞ୍ଚ ବେଳେ ଭଗ୍ନାବଶେଷ ତଳୁ ଯାଞ୍ଚ ଓ ଉଦ୍ଧାରକାରୀ ଦଳ ପ୍ରାୟ ୩୦ ମିଲିୟନ ନଗଦ ପାଇଛନ୍ତି।

ପିଟିଆଇ ସୂତ୍ର ଅନୁଯାୟୀ, ଏହି ଘଟଣାରେ ତଦନ୍ତ ଆଦେଶ ଦିଆଯାଇଛି ଯେ, ଏତେ ବିପୁଳ ପରିମାଣର ଅର୍ଥ ସହିତ ଯାତ୍ରୀଙ୍କୁ କେମିତି ବିମାନରେ ପ୍ରବେଶ ଅନୁମତି ମିଳିଲା। ବିମାନ ବନ୍ଦରରେ ସ୍କାନର ଯାଞ୍ଚ ପରେ ମଧ୍ୟ ବିମାନକୁ ଏ ଅର୍ଥ କେମିତି ଗଲା ତାର ଯାଞ୍ଚ କରାଯାଉଛି। ଏହି ସବୁ ଅର୍ଥ ଦୁଇଟି ବ୍ୟାଗ୍‌ରୁ ମିଳିଥିବା ଅଧିକାରୀ କହିଛନ୍ତି।

ଉଲ୍ଲେଖନୀୟ ପାକିସ୍ତାନରେ ବିମାନ ଦୁର୍ଘଟଣାର ଇତିହାସରେ ଏହା ସବୁଠୁ ଭୟାନକ ଦୁର୍ଘଟଣା ମଧ୍ୟରୁ ଏକ ଥିଲା। ଏଥିରେ ୯୭ ଯାତ୍ରୀ ଏବଂ ଚାଳକ ଦଳର ଦୁଇ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୯୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କ ଚିହ୍ନଟ ହୋଇଥିବା ବେଳେ ବାକି ମୃତଶରୀରକୁ ଅନ୍ତିମ ସଂସ୍କାର ଲାଗି ପଠାଇ ଦିଆଯାଇଛି।

ବିମାନ ପିକେ-୮୩୦୩ ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଅବତରଣର ଠିକ୍ ପୂର୍ବରୁ ବିମାନଟି କରାଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଦୁର୍ଘଟଣାର ଶିକାର ହୋଇ ଏକ ଜନବହୁଳ ପୂର୍ଣ୍ଣ କଲୋନୀ ଉପରେ ଖସି ପଡିଥିଲା। ପାକିସ୍ତାନ ବେସାମରିକ ଚଳାଚଳ ମନ୍ତ୍ରୀ ଘୁଲାମ ସରଓ୍ଵାର ଖାନ୍ ଶୁକ୍ରବାର କହିଛନ୍ତି, ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ସଂସଦରେ ଜୁନ ୨୨ ପୂର୍ବରୁ ଉପସ୍ଥାପନ କରାଯିବ।