ଏଥର ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ ବ୍ଲକରେ ହେବ ଭୋଟ ଗଣତି

ଭୁବନେଶ୍ଵର,୨୩ /୧୦: ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ବୁଥ ବଦଳରେ ବ୍ଲକରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରସ୍ତୁତି ସହିତ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରିବା ଏବଂ ବୁଥ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେ ଇଛନ୍ତି। ସେପଟେ ରାଜନୈତିକ ଦଳ ମଧ୍ୟ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକରେ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପୂର୍ବରୁ ଯେମିତି ବୁଥରେ ହେଉଥିଲା ଏଥର ସେମିତି ହେବନି। ଗୋଟିଏ ଦିନରେ ନିର୍ବାଚନ ହୋଇଥିବା ସମସ୍ତ ବ୍ଲକରେ ଭୋଟ ଗଣତି ହେବ। ଭୋଟ ଗଣତି ପରେ ବାଲଟ ବାକ୍ସ ଆଣି ବ୍ଲକରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହା ସହିତ ଜାନୁଆରୀ ୧, ୨୦୨୧ ଭୋଟର ଲିଷ୍ଟ ଅନୁସାରେ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରାଯିବ। ପ୍ରତି ଓ୍ବାର୍ଡ ଏବଂ ପଞ୍ଚାୟତରେ ଭୋଟର ଲିଷ୍ଟ ସଂଶୋଧନ କରାଯିବ। ୬ ମାସଭିତରେ ଯଦି କାହାର ବୟସ ଭୋଟ ଦେବା ପାଇଁ ହୋଇ ଯାଇଥିବ ତାହେଲେ ସେମାନଙ୍କୁ ଅନ୍ତୁର୍ଭୁକ୍ତ କରାଯିବ। ଏଥର ବୁଥ ସଂଖ୍ୟା ବଢ଼ାଯିବ। ସେହି ଅନୁସାରେ ବାଲାଟ ବକ୍ସ ମଧ୍ୟ ବୃଦ୍ଧି କରାଯିବ। ଜାନୁୟାରୀ ୨୬ ତାରିଖ ସୁଦ୍ଧା ବୁଥ ତାଲିକା ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋର ଦାର ଚାଲିଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛନ୍ତି। ବୁଥ ସ୍ତରରେ କେମିତି ସଙ୍ଗଠନ ମଜବୁତ ହେବ ସେନେଇ ଗାଁ ଗାଁରେ ଦଳୀୟ କାର୍ଯ୍ୟକ୍ରମ ମାନ ଜୋର ଧରିଥିଲାଣି। ଇଲେକ୍ଟୋରାଲ ରୋଲ ପ୍ରସ୍ତୁତ ହେବା ପରେ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନ।

Comments are closed.