ପାଚେରି ଡେଇଁ ପଳାଇଲେ ୨ ସଙ୍ଗରୋଧୀ

ପାଟଣା,୨୧/୬ : ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଭଲ ଲାଗୁ ନ ଥିବାରୁ ସଙ୍ଗରୋଧୀ ଘରକୁ ଚାଲିଯିବାକୁ ଜିଦ୍‌ ଧରୁଛନ୍ତି। ପରିସ୍ଥିତି ଏଭଳି ସୃଷ୍ଟି ହେଉଛି ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ଘରକୁ ପଳାଉଛନ୍ତି। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣାଥାନା ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ। ଏହି କେନ୍ଦ୍ରରୁ ଦୁଇଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ତେବେ ସେମାନେ ଲୁଚି କରି ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ପଳାଇଥିଲେ।

ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନ ପାଇବାରୁ ଏ ସମ୍ପର୍କରେ ପଞ୍ଚାୟତ ତରଫରୁ ପାଟଣା ଥାନାରେ ସରପଞ୍ଚ ଈଶ୍ୱର ଚନ୍ଦ୍ର ନାଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପାଟଣା ଥାନାଧିକାରୀ ସୋମନାଥ ଜେନା ମାଛଗଡ ପଞ୍ଚାୟତ ଅଞ୍ଚଳକୁ ଯାଇଥିଲେ। ସେଠାରେ ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଦୁଇ ପ୍ରବାସୀ ଘରକୁ ପଳାଇ ଆସିଥିବା ଜାଣିବାକୁ ପାଇଥିଲେ। ଏହାପରେ ସେହି ଦୁଇପ୍ରବାସୀଙ୍କୁ ବୁଝା ସୁଝା କରିଥିଲେ ଏବଂ ସେମାନଙ୍କୁ ପୁଣିଥରେ ସଙ୍ଗରୋଧରେ ରହିବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି।