ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧିକୁ ନେଇ ବିଜେଡିର ରାଜ୍ୟବ୍ୟାପୀ ତିନି ଦିନିଆ ଆନ୍ଦୋଳନ ଆଜି ଶେଷ ହୋଇଛି। ବିଜେଡି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି, ୨୦୧୪ ମସିହାରୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆସିଲା ପର ଠାରୁ ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ପ୍ରତିଦିନ ବଢ଼ାଇ ଚାଲିଛନ୍ତି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରୁ ନାହାନ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାରେ ଲାଗିଛି, ସେତେବେଳେ ତାହାର ଲାଭାଂଶ ଜନସାଧାରଣଙ୍କୁ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛନ୍ତି।

ଓଡ଼ିଶା ସମେତ ସାରା ଦେଶର ଲୋକଙ୍କ ସହିବାର ସୀମା ଟପିଗଲାଣି। ବିଜେଡି ଏହି ଦର ବୃଦ୍ଧି ପ୍ରତିବାଦରେ କ୍ରମାଗତ ଭାବେ ସ୍ୱର ଉତ୍ତୋଳନ କରିଚାଲିଛି। କର୍ଣ୍ଣାଟକ ନିର୍ବାଚନ ସରିଲା ମାତ୍ରେ କେନ୍ଦ୍ର ସରକାର ହୁ ହୁ ହୋଇ ଦର ବଢ଼ାଇ ଚାଲିଲେ ଓ ଗତକାଲି କଟା ଘା’ରେ ଚୂନ ଦେଲା ପରି ମାତ୍ର ୧ ପଇସା ଦର କମାଇଛନ୍ତି। ଭାରତ ଠାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ଦେଶଗୁଡ଼ିକରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଭାରତ ଠାରୁ କମ୍‌ ରହିଛି। ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍‌ଦାର୍‌ ହେବ ବୋଲି ଚେତାବନୀ ଦିଆଯାଇଛି।

ଏହି ପ୍ରତିନିଧି ଦଳରେ ବିଜେଡି ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମହିଳା ବିଜେଡି ଉପସଭାପତି ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ।