ଆସାମରେ କୁମାର ଭାସ୍କରବର୍ମା ସେତୁର ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ ଜିଲ୍ଲାସ୍ଥିତ ଜାତୀୟ ରାଜପଥ ପାଶ୍ୱର୍ରେ ବିକଶିତ ମୋରାନ୍‍ ବାଇପାସ୍‍ରେ ଆଜି ଜରୁରୀକାଳୀନ ଅବତରଣ ବ୍ୟବସ୍ଥାର ଉଦ୍‍ଘାଟନ କରିଛନ୍ତି । ଆସାମକୁ ଦିନିକିଆ ଗସ୍ତ ଅବସରରେ ଶ୍ରୀ ମୋଦୀ ପୂର୍ବାହ୍ନରେ ସେଠାରେ ଅବତରଣ କରିବା ସହ ଲଢ଼ୁଆ ଏବଂ ପରିବହନ ବିମାନ ଓ ହେଲିକପ୍ଟର ଆଦିର ଆକାଶମାର୍ଗରେ ଉଡ଼ାଣ କୌଶଳକୁ ନିରୀକ୍ଷଣ କରିଛନ୍ତି । ଉତ୍ତର- ପୂର୍ବ ଅଞ୍ଚଳରେ ଜରୁରୀ ସମୟରେ ସାମରିକ ଓ ବେସାମରିକ ବିମାନ ଅବତରଣ ତଥା ଉଡ଼ାଣକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଜରୁରୀକାଳୀନ ଅବତରଣ ବ୍ୟବସ୍ଥା କରାଯାଇଛି । ଭାରତୀୟ ବାୟୁସେନା ସହିତ ସମନ୍ୱୟ ରକ୍ଷା କରାଯାଇ ଏହାର ନକ୍ସା ପ୍ରସ୍ତୁତ କରାଯିବା ସହ ନିର୍ମାଣ ମଧ୍ୟ ହୋଇଛି । ଦିବ୍ରୁଗଡ଼ଠାରୁ ଶ୍ରୀ ମୋଦୀ ଗୁଆହାଟୀ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ୫ ହଜାର ୪୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି । ୩ ହଜାର କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ କୁମାର ଭାସ୍କର ବର୍ମା ସେତୁର ପ୍ରଧାନମନ୍ତ୍ରୀ ଆଜି ଉଦ୍‍ଘାଟନ କରିଛନ୍ତି । ଗସ୍ତ ଅବସରରେ ଶ୍ରୀ ମୋଦୀ କାମରୂପ ଜିଲ୍ଲାର ଅମିନୀ ଗାଓଁଠାରେ IIM ଗୁଆହାଟୀର ଅସ୍ଥାୟୀ କ୍ୟାମ୍ପସ୍‍ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ଜାତୀୟ ତଥ୍ୟ କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ଶ୍ରୀ ମୋଦୀ ଲାଚିତ୍‍ ଘାଟକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି । ଏହି ଯୋଜନା ଅଧୀନରେ ୨୨୫ଟି ବୈଦ୍ୟୁତିକ ବସ୍‍ ଚଳାଚଳ କରିବ । ସେଥିମଧ୍ୟରେ ଗୁଆହାଟୀ ପାଇଁ ୧୦୦ଟି, ନାଗପୁର ଓ ଭାବନଗର ପାଇଁ ୫୦ଟି ଲେଖାଏଁ ଓ ଚଣ୍ଡୀଗଡ଼ ପାଇଁ ୨୫ଟି ବସ୍‍ ରହିଛି । ଗୁଆହାଟୀଠାରେ ଦଳୀୟ କର୍ମୀଙ୍କ ଏକ ବୁଥ୍‍ ସମ୍ମିଳନୀକୁ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ।