ଭାରତୀୟ ପାଇଲଟ ସ୍ମିତ୍ ମାଚ୍ଛରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୧/୧୦ : ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କ ସାହସକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆରେ Xରେ ପୋଷ୍ଟ କରି ସ୍ମିତ୍ ଙ୍କୁ ହିରୋ ବୋଲି କହିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ମୋଦି । ମୋଦି କହିଛନ୍ତି, ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ଏବଂ ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ସ୍ମିତ୍ ମାଚ୍ଛର ଅସୀମ ସାହସ ଦେଖାଇଥିଲେ । ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ତାଙ୍କର ଦୃଢ଼ ସଂକଳ୍ପ ଓ ସାହସ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା । ତାଙ୍କ ବୀରତ୍ୱ ଯୋଗୁଁ ଶତାଧିକ ଲୋକଙ୍କ ଜୀବନ ବଞ୍ଚିପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ସ୍ମିତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି । ଶୀଘ୍ର ସୁସ୍ଥ ହୋଇ ପୁଣି ନୂଆ ଶକ୍ତି ସହ ଫେରନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି-ଆକାଶରେ କକପିଟ୍ ଭିତରେ ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସହ ପାଇଲଟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ବିମାନ FZ1073ରେ ଛୁରାମାଡ଼ର ଶିକାର ହୋଇଥିଲେ ପାଇଲଟଙ୍କ ନାମ ସ୍ମିତ୍ ମଚ୍ଛାର । ସେ ଜଣେ ଭାରତୀୟ ନାଗରିକ । ଦୁବାଇରୁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ବିମାନରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ । ଉଡ଼ାଣ ଚାଲିଥିବା ସମୟରେ ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛରଙ୍କ ଉପରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ରକ୍ତାକ୍ତ ଓ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରି କକ୍ ପିଟ୍ ର ସୁରକ୍ଷା ଦ୍ୱାର ଖୋଲି ଦେଇଥିଲେ ।