ନୂଆଦିଲ୍ଲୀ, ୧୩/୬: ଦେଶରେ ଅନଲକ୍ ୧ ଆରମ୍ଭ ହେବା ପରଠୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବାକୁ ଯାଉଛନ୍ତି।
ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କ୍ରମାଗତ ଦୁଇ ଦିନ ଅଲଗା ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ଜୁନ ୧୬ ଓ ୧୭ ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ବନ୍ଧରେ ଆଲୋଚନା କରିବେ। ଏହି ଆଧାରରେ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ। ଏହି ଭିଡିଓ କନଫରେନ୍ସିଂ ଆଲୋଚନା ଅପରାହ୍ନ ୩ଟାରୁ ଆରମ୍ଭ ହେବ।
୧୬ ତାରିଖରେ ପଞ୍ଜାବ, ଆସାମ, କେରଳ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଛତିଶଗଡ଼, ହିମାଚଳ ପ୍ରଦେଶ, ଗୋଆ, ମଣିପୁର, ନାଗାଲାଣ୍ଡ ଆଦି ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିଖରେ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ବିହାର ସହ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।