କାନାଡା ପ୍ରଧାନମନ୍ତ୍ରୀ ୨ୟ ଥର ପାଇଁ ହେଲେ କରୋନା ପଜିଟିଭ, ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହାର କମିଥିଲେ ବି ସମ୍ପୂର୍ଣ୍ଣ ଦୂରେଇ ଯାଇନି ବିପଦ । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଠିନ୍ ଟ୍ରୁଡୋ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବ୍ୟକ୍ତିଗତ ଭାବରେ ସାକ୍ଷାତର କିଛି ଦିନ ପରେ ସେ କରୋନାର ଶିକାର ହୋଇଥିବା ସୂଚନା ଦିଆଯାଇଛି ।

ଟ୍ରୁଡୋ ସୋମବାର ଦିନ ଏକ ଟ୍ୱିଟ୍ ଜରିଆରେ ନିଜକୁ ପୁଣିଥରେ କରୋନା ପଜିଟିଭ୍ ବୋଲି ସୂଚନା ଦେଇଛନ୍ତି । ଏହି ଟ୍ୱିଟରେ ସେ ସମସ୍ତଙ୍କୁ ଟିକା ଲଗାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ‘ମୁଁ କୋଭିଡ୍ ୧୯ ଦ୍ୱାରା ସଂକ୍ରମିତ ହୋଇଛି । ମୁଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ୱାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।’

ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆମେରିକାର ଶିଖର ସମ୍ମିଳନୀରେ ଭାଗ ନେବାକୁ ଲସ୍ ଆଞ୍ଜଲେସ୍ ଗସ୍ତରେ ଥିଲେ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଶୀର୍ଷ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ । କାନାଡା ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଜାନୁଆରୀରେ କରୋନା ସଂକ୍ରମିତ ହୋଇଥିଲେ ।