ପଞ୍ଚାୟତ ଓ ଜିଲ୍ଲା ପରିଷଦ ଦଖଲ ପାଇଁ ୱାର୍ଡ ସ୍ତରରୁ ଭୋଟ୍ ବ୍ୟାଙ୍କ ଜଗିବାକୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ଵର, ୧୧/୧୦: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମାନେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଦଖଲ ନେଇ ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି । ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଲାଗି ଆଗୁଆ ପାଗ ଭିଡା କରିଛି । ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ, ଦଳର କୋର କମିଟି ସଦସ୍ୟ ସାଂସଦ ବିଧାୟକ ଜିଲ୍ଲା ସଭାପତି ମାନଙ୍କୁ ନେଇ ଗେମ ପ୍ଲାନ କରିଛି ଦଳ। ୱାର୍ଡ ସ୍ତରରୁ ଭୋଟ ବ୍ୟାଙ୍କ ଜଗିବାକୁ ଆଲୋଚନା ବି ହୋଇଛି । ସେପଟେ କଂଗ୍ରେସ ଓ ବିଜେଡି ବି ନିଜ ନିଜ ପ୍ରସ୍ତୁତି ଚଳାଇଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ୩ ଶହରୁ ଅଧିକ ଜିଲ୍ଲା ପରିଷଦ ସିଟ ହାତେଇଥିବା ବିଜେପି ଏଥର କେମିତି ଆହୁରି ଭଲ କରିବ ସେନେଇ ରଣନୀତି କରିଛି । ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁ଼ଡୁ, ଦଳର କୋର କମିଟି ସଦସ୍ୟ, ସାଂସଦ ବିଧାୟକ ଜିଲ୍ଲା ସଭାପତି, ସବୁ ମୋର୍ଚ୍ଚାର ପଦାଧିକାରୀଙ୍କୁ ନେଇ ଗେମ ପ୍ଲାନ କରିଛି ଦଳ । ୱାର୍ଡ ସ୍ତରରୁ ଭୋଟ ବ୍ୟାଙ୍କ ଜଗିବାକୁ ଦଳର ରୁଦ୍ଧଦ୍ବାର ବୈଠକରେ ବ୍ଲୁ ପ୍ରିଣ୍ଟ କରିଛି ଦଳ ।

ଶାସକ ଦଳ ମଧ୍ୟ ପଞ୍ଚାୟତ ଦଖଲ ପାଇଁ ସଙ୍ଗଠନ ସଜାଡିବାରେ ଲାଗିଛି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ହେଭିୱେଟ ନେତାଏ ଜିଲ୍ଲାକୁ ଜିଲ୍ଲା ବୁଲି ଦଳର ସଙ୍ଗଠନ ସଜାଡ଼ିଡା ଓ ମିଶ୍ରଣ ପର୍ବ କରି ଦଳର ବଳ ବଢାଇବାରେ ଲାଗିଛନ୍ତି । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରଠୁ ସବୁ ଉପନିର୍ବାଚନରେ ଜିତିଥିବା ବିଜେଡି ବିକାଶ ଧାରାକୁ ନେଇ ପଞ୍ଚାୟତ ନିର୍ବାଚନ ଲଢିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଲୋକେ ପୁଣି ବିଜେଡିକୁ ଭରସା କରିବେ ବୋଲି ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଛି। ସେପଟେ ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ବି ପ୍ରସ୍ତୁତି ଚଳାଇଛି । ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା ଆସିଛି । ଅଭିଯୋଗ ଶୁଣାଣି ପରେ ୩୦ ସୁଦ୍ଧା ଚୂଡାନ୍ତ ତାଲିକା ଆସିବ । ଆଉ ତା ପରେ ପଞ୍ଚାୟତ ମୁହାଁ ହେବେ ନେତା ।