ଆସିଲା ଦିଲ୍ଲୀ କାର ଦୁର୍ଘଟଣାର ପୋଷ୍ଟମର୍ଟମ ରିପୋର୍ଟ : ଶରୀରର ୩୬ଟି ସ୍ଥାନରେ ୪୦ ଆଘାତ

ନୂଆଦିଲ୍ଲୀ,୪/୧ : ଆସିଲା ଦିଲ୍ଲୀ କାର ଦୁର୍ଘଟଣାର ପୋଷ୍ଟମର୍ଟମ ରିପୋର୍ଟ । ଦିଲ୍ଲୀ ରାଜରାସ୍ତାରେ ଯେଉଁ ଅଞ୍ଜଳିକୁ ନୂଆ ବର୍ଷ ରାତିରେ କାରରେ ଘୋଷାରି ଘୋଷାରି ମାରିଦିଆଯାଇଥିଲା ରିପୋର୍ଟ ତାର ବାସ୍ତବତା ବୟାନ କରିଛି । କାର ଚକତଳେ ୧୨ କିଲୋମିଟର ଘୁଷୁରିବା ପରେ ଚମଡା ଓ ମାଂସ ଘଷି ହୋଇ ହାଡ ବାହାରକୁ ଚାଲିଆସିଥିଲା । ମୁଣ୍ଡର ଖପୁରି ଭାଙ୍ଗିଯାଇଥିବା ବେଳେ ସେଥିରେ ବ୍ରେନ ନଥିଲା।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଚମଡା ଓ ମାଂସ ରାସ୍ତାରେ ଘଷି ହେବା ଯୋଗୁ ପିଠି ପଟକୁ ପଞ୍ଜରା ଦେଖାଯାଉଥିଲା। ମେରୁଦଣ୍ଡର ହାଡ ଭାଙ୍ଗିଯାଇଥିଲା ଫୁସଫୁସ୍ ବାହାରକୁ ବାହାରି ପଡିଥିଲା। ଶରୀରରୁ ଦୁଇଟି ଜାକ ଗୋଡ ଅଲଗା ହୋଇଯାଇଥିଲା । ପେଟରେ ଆଲକୋହଲର ଉପସ୍ଥିତି ମିଳି ନାହିଁ। ଭୟ ଓ ଅତ୍ୟାଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଅଞ୍ଜଳିଙ୍କ ଶରୀରରେ ମିଳିଥିବା ଆଘାତ ଚିହ୍ନରୁ ତାଙ୍କ ପ୍ରତି କୌଣସି ପ୍ରକାରର ଯୌନ ଉତ୍ପିଡନା ହୋଇ ନଥିବାର ରିପୋର୍ଟ ସ୍ପଷ୍ଟ କରିଛି।

ଏହି ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଜବତ କରିଥିବା ବେଳେ ସେଥିରେ ଯାତ୍ରା କରୁଥିବା ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଦୀପକ ଖନ୍ନା(୨୬), ଅମିତ ଖନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଓ ମନୋଜ ମିତ୍ତଲ (୨୭) ଭାବେ ଚିହ୍ନଟ କରାଯାଇଛି। ପୋଲିସ ସେମାନଙ୍କୁ ହାଜତରେ ରଖିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।