ଭୁବନେଶ୍ୱର, ୦୯/୧୧ (ଓଡିଶା ଖବର) : ମହାନ ଜନନାୟକ, ରାଜନୀତିଜ୍ଞ ତଥା ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୩ତମ ଜୟନ୍ତୀ ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ବେଳେ କିଟ୍, କିସ୍ ଓ କିମ୍ସ ପକ୍ଷରୁ ସ୍ୱର୍ଗତ ବଳଙ୍କ ୯୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କିସ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ. ଏନ. ସୁବ୍ରମଣ୍ୟମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତିବର୍ଷ ସ୍ୱର୍ଗତ ବଳଙ୍କ ଜୟନ୍ତୀ ଓ ତିରୋଧାନ ଦିବସ କିସ୍ ଓ କିସରେ ପାଳନ କରାଯାଇଥାଏ । ସ୍ୱର୍ଗତ ବଳ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ସ୍ୱର୍ଗତ ବଳଙ୍କ କାର୍ଯ୍ୟଧାରା, ସତ୍ୟନିଷ୍ଠା, ନିର୍ଭିକ ସାମ୍ବାଦିକତା, ସମାଜସେବା ଓ ଜନଜାତିଙ୍କ ବିକାଶ ସର୍ବଦା ଅନୁପ୍ରାଣିତ କରିଆସିଛି ।
ସ୍ୱର୍ଗତ ବଳଙ୍କ ଯେଉଁ ଚିନ୍ତାଧାରା ଥିଲା ତାହା କିସ୍ ରେ କାର୍ଯ୍ୟକାରୀ ହେଉଛି । ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କର୍ପୋରେଟ୍ ରିଲେସନ୍ସ ଉପସଭାପତି ସମୀର ପଣ୍ଡା, କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର, ଜ୍ଞାନ ରଞ୍ଜନ ମହାନ୍ତି କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବଳଙ୍କ ପରି ନିର୍ଭିକ, ସ୍ପଷ୍ଟବାଦୀ ଓ ନୀତିବାନ୍ ହେବାକୁ ଅତିଥିମାନେ ଉପସ୍ଥିତ କିସ୍ ର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ କିମ୍ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କ ପ୍ରତିମୂର୍ତ୍ତରେ ମାଲ୍ୟର୍ପଣ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କ ସମେତ କିମ୍ସର ଉଚ୍ଚ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।