ଗୁରୁବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତିକୁ ତାଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜୀ ପସନ୍ଦ କରି ନଥିଲେ। ଏ କଥା ସେ ତାଙ୍କ ବାପାଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ଓ ଏନେଇ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ସଂପର୍କରେ ସତର୍କ କରାଇଥିଲେ।
ପ୍ରଣବ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶର୍ମିଷ୍ଠା କହିଛନ୍ତି ଯେ ସେ ଯେଉଁ କଥାକୁ ଡରୁ ଥିଲେ ଠିକ୍ ସେୟା ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ସେ ଯେଉଁ କଥାକୁ ନେଇ ତାଙ୍କ ବାପାଙ୍କୁ ସତର୍କ କରାଇଥିଲେ ବିଜେପି ଓ ଆର୍ଏସ୍ଏସ୍ର ‘ଡାର୍ଟି ଟ୍ରିକ୍ସ ଡିପାର୍ଟମେଣ୍ଟ’ ତାହା କରିଛି। ବାପା ସେଠାରେ ଯୋଗ ଦେବା ପରେ ସୋସିଆଲ୍ ମିଡିଆରେ ତାଙ୍କର ନକଲି ଫଟୋ ସବୁ ବୁଲିଲାଣି। ସେଥିରୁ ଗୋଟିକରେ ତାଙ୍କୁ ପୂରା ଆର୍ଏସ୍ଏସ୍ କର୍ମୀ ଭାବେ ସଜାଇ ଦିଆଯାଇଛି। ତାଙ୍କ ମୁଣ୍ଡରେ କଳା ଟୋପି ପିନ୍ଧାଇ ଦିଆଯାଇଛି। ପୁଣି ସେ ଆର୍ଏସ୍ଏସ୍ କର୍ମୀଙ୍କ ଶୈଳୀରେ ଅଭିବାଦନ ଗ୍ରହଣ କରୁଛନ୍ତି।
ଶର୍ମିଷ୍ଠା ରୁଚି ଶର୍ମାଙ୍କ ଏକ ଫଟୋ ଟ୍ୱିଟ୍କୁ ରିଟ୍ୱିଟ୍ କରିଛନ୍ତି ଯେଉଁଥିରେ ପ୍ରଣବଙ୍କୁ ଏମିତି ବେଶରେ ଦେଖିବାକୁ ମିଳିଛି। କିନ୍ତୁ ସତ କଥା ହେଉଛି ଆର୍ଏସ୍ଏସ୍ର କାର୍ଯ୍ୟକ୍ରମରେ ପ୍ରଣବ କଳା ଟୋପି ପିନ୍ଧି ନଥିଲେ କି ସ୍ୱୟଂ ସେବକଙ୍କ ଭଳି ହାତକୁ ଉପରକୁ ଉଠାଇ ନଥିଲେ।ବୁଧବାର ଶର୍ମିଷ୍ଠା ତାଙ୍କ ବାପାଙ୍କୁ ସତର୍କ କରାଇ କହିଥିଲେ ଯେ ଆର୍ଏସ୍ଏସ୍ କାର୍ଯ୍ୟାଳୟରେ ଆପଣ ଯେଉଁ ଭାଷଣ ଦେବେ ତାହାକୁ କେହି ମନେ ରଖିବେ ନାହିଁ। କିନ୍ତୁ ଆପଣଙ୍କ ଫଟୋ ରହିଯିବ। ଉକ୍ତ ଫଟୋ ସହିତ ନକଲି ମନ୍ତବ୍ୟ ଦେଇ ଅପପ୍ରଚାର କରାଯିବ। ଫଟୋଗୁଡ଼ିକୁ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ କରାଯିବ। ସେ ଏହା ବି କହିଥିଲେ ଯେ ବିଜେପି କେତେ ଖରାପ ଖେଳ ଖେଳିପାରେ ତାହା ଆପଣ ପରେ ଜାଣିପାରିବେ।
Prev Post
Next Post