ପ୍ରତି ନାଗରିକ ସାମ୍ବାଦିକ ହେଲେ ସମସ୍ୟା ବଢ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬/୧୦ : ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଆଧାରରେ ସମସ୍ତେ ନିଜକୁ ସାମ୍ବାଦିକ ବୋଲି ଦାବି କରିପାରିବେ । କିନ୍ତୁ ପ୍ରତି ନାଗରିକ ନିଜକୁ ସାମ୍ବାଦିକ ବୋଲି ଦାବି କଲେ ସମସ୍ୟା ବଢ଼ିବ । କାରଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ସକ୍ରିୟ ଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ତଥା ପ୍ରକୃତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ଆହ୍ୱାନ ପୂର୍ଣ୍ଣ ହୋଇପଡ଼େ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦିଲ୍ଲୀରେ ଅକ୍ଟୋବର ୧୦-୧୧ ତାରିଖରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ସାମ୍ବାଦିକମାନଙ୍କ ସହ କଥିତ ଦୁର୍ବ୍ୟବହାର, ଆକ୍ରମଣ ଏବଂ ସେମାନଙ୍କୁ ଅଟକ ରଖାଯିବା ଘଟଣା ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଆସିଥିବା ଅଭିଯୋଗକୁ ଏକ ଗମ୍ଭୀର ବିଷୟ ବୋଲି କହିଛନ୍ତି।

ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ଦ୍ୱାରା ଜଣେ ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଉଠାଇଥିଲେ। ସେ ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ମହିଳା ବିଚାରପତି ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ।

ଉକ୍ତ ମହିଳା ସାମ୍ବାଦିକଙ୍କ ବିରୋଧରେ ଯେପରି କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସର ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସମ୍ପ୍ରତି ପାଇଁ ଏହି କାର୍ଯ୍ୟାନୁଷ୍ଠାନ କେବଳ ଆବେଦନରେ ଉଲ୍ଲେଖ ଥିବା ପୀଡ଼ିତାଙ୍କ ମାମଲା ମଧ୍ୟରେ ସୀମିତ ରହିବ । ତୁଷାର ମେହେତା ମତ ଦେଇଛନ୍ତି ଯେ, ଯାହାଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, ସେ ନିଜକୁ ସାମ୍ବାଦିକ ବୋଲି ଦାବି କରିପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ବ୍ୟକ୍ତି ସାମ୍ବାଦିକତାର ଆଳରେ ‘ରିଲ୍’ ମଧ୍ୟ ତିଆରି କରୁଛନ୍ତି।