ନୂଆ ରଙ୍ଗରେ ପୁରୀ ରାଜଭବନ

ପୁରୀ : ପୁରୀ ଭିଆଇପି ରୋଡ୍‌ରେ ଥିବା ୧୦୮ ବର୍ଷର ରାଜଭବନର ପୁନରୁଦ୍ଧାର କାମ ଶେଷ ହୋଇଛି। ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ରାଜଭବନ ନୂଆ ରୂପ ପାଇଛି। ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସପରିବାର ଏଠାରେ ପହଞ୍ଚି ନଡ଼ିଆ ବାଡ଼େଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରାଜଭବନ ପରିସରରେ ‘ଶୀଲା ଉପବନ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟପାଳ ନିଜ ପତ୍ନୀ ସ୍ବର୍ଗତ ସୁଶୀଲା ଦେବୀଙ୍କ ନାମରେ ଏହି ଉପବନକୁ ନାମିତ କରିବା ସହ ଏହି ଉପବନକୁ ତାଙ୍କୁ ଉତ୍ସର୍ଗ କରିଛନ୍ତି। ଯେଉଁଠାରେ ଘାସ ଗାଲିଚା ସାଙ୍ଗକୁ ନାନାଦି ଫୁଲ ଓ ‌ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗଛ ସବୁ ଲଗାଯାଇଛି। ଆଜି ଏହି ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ।

ସୂଚନାଯୋଗ୍ୟ, ବର୍ତ୍ତମାନର ରାଜଭବନ ୧୯୧୩ ମସିହାରେ ନିର୍ମାଣ କରାଯାଇଥିଲା। ସ୍ବାଧୀନତା ପରେ ଏହା ରାଜଭବନର ମାନ୍ୟତା ପାଇଥିଲା। ସେ କାଳର ପୁରୁଣା ନିର୍ମାଣ ଶୈଳୀ(କଡ଼ି ବରଡ଼ା)ରେ ଏହି କୋଠା ଦଣ୍ଡାୟମାନ ଥିଲା। କିନ୍ତୁ ଗତ ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ରାଜଭବନର ବ୍ୟାପକ କ୍ଷତି ହୋଇଥିଲା। ବର୍ତ୍ତମାନ ଏହି କୋଠାର ପୁନରୁଦ୍ଧାର ସ୍ବରୂପ ନୂଆ ପିଲାର୍‌ ଓ ନୂଆ ଛାତ ଗଢ଼ାଯାଇଛି। ଘରର ଭିତର ଓ ବାହାର ପାର୍ଶ୍ବର ବିଭିନ୍ନ ସ୍ଥାନ ମରାମତି ସହ ଅନ୍ୟାନ ସୌନ୍ଦର୍ଯ୍ୟୀକରଣ କାମ କରାଯାଇଛି।

ଏହି ଅବସରରେ ରାଜ୍ୟପାଳଙ୍କ ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀଙ୍କ ସମେତ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଗୃହ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ।