ମିଳିଲା ଖୁସି ଖବର : ୭ ମୋକ୍ଷ ଧାମରେ ସ୍ଥାନ ପାଇଛି ପୁରୀ ଶ୍ରୀଜଗନ୍ନାଥ ଧାମ

0

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀ ପାଇଁ ମିଳିଛି ଖୁସି ଖବର । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ ୭ଟି ଗନ୍ତବ୍ୟ ସହର ଚୟନ କରିଛନ୍ତି । ସେଥିମଧ୍ୟରୁ ସ୍ଥାନ ପାଇଛି ପୁରୀ ଶ୍ରୀଜଗନ୍ନାଥ ଧାମ । ଏଣିକି ପୁରୀ ସମ୍ପର୍କରେ ଘରୋଇ ଓ ବିଶ୍ୱ ବଜାରରେ ପ୍ରଚାର ପ୍ରସାର କରାଯିବ । ଏଥିସହ ପ୍ରସାଦ ଓ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ ।

ସପ୍ତ ମୋକ୍ଷ ଧାମରେ ସାମିଲ ଅନ୍ୟ ସହରଗୁଡ଼ିକ ହେଉଛି ଅଯୋଧ୍ୟା, ମଥୁରା, ମାୟା (ହରିଦ୍ୱାର), କାଶୀ (ବାରଣାସୀ), କାଞ୍ଚି ଅବନ୍ତୀକା (ଉଜ୍ଜୟିନୀ), ଏବଂ ଦ୍ୱାରାବତୀ (ଦ୍ୱାରକା, ଗୁଜରାଟ) ରହିଛି । ଏଥିପାଇଁ ବୈଦ୍ୟୁତିକ, ଛାପା ଏବଂ ଡିଜିଟାଲ୍‌ ମିଡିଆ ମାଧ୍ୟମରେ ଘରୋଇ ଏବଂ ବିଶ୍ୱବଜାରରେ ଏହି ସବୁ ସ୍ଥାନଗୁଡ଼ିକର ପ୍ରଚାରମୂଳକ ଅଭିଯାନ ଜାରି ରହିବ । ଏଥିସହ ପର୍ଯ୍ୟଟନ ମନ୍ତ୍ରଣାଳୟର ୱେବସାଇଟ୍‌ ତଥା ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍‌ଗୁଡ଼ିକ ସହାୟତାରେ ପ୍ରୋତ୍ସାହନମୂଳକ ଭାବେ ଅଧିକ ପ୍ରଚାର, ପ୍ରସାର କରାଯିବ ।

ଏସବୁ ବ୍ୟତୀତ ପର୍ଯ୍ୟଟନ ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ପରାମର୍ଶ କରି ଚିହ୍ନିତ ତୀର୍ଥସ୍ଥଳୀ ଏବଂ ଐତିହ୍ୟସ୍ଥଳୀଗୁଡ଼ିକର ସମନ୍ୱିତ ବିକାଶ ହେବ । ଏହି ଉଦ୍ଦେଶ୍ୟ ନେଇ “ତୀର୍ଥଯାତ୍ରା ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକତା, ଐତିହ୍ୟ ବୃଦ୍ଧି ଅଭିଯାନ (ପ୍ରସାଦ) ରାଷ୍ଟ୍ରୀୟ ମିଶନ’ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ନିମନ୍ତେ ସ୍ୱଦେଶ ଦର୍ଶନ ଅଧୀନରେ ଆର୍ଥିକ ସହାୟତା ମଧ୍ୟ ମିଳିବ । ବିଶେଷକରି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଅଧୀନରେ ବିକାଶ ପାଇଁ ସ୍ୱଦେଶ ଦର୍ଶନ ଯୋଜନାକୁ ‘ଏସ୍‌ଡି-୨.୦’ରେ ନୂତନ ରୂପରେଖ ଦିଆଯାଇଛି ।

SBI AD
Leave A Reply

Your email address will not be published.