ରାଞ୍ଚିର ବୁଢମ ଅଞ୍ଚଳରେ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ହେଉଛି ଠାକୁରଗାଓଁର ଐତିହାସିକ ଭବାନୀ ଶଙ୍କର ମନ୍ଦିର। ଏଠାରେ ଦୁର୍ଗା ପୂଜାର ଇତିହାସ ୫୦୦ ବର୍ଷ ପୁରୁଣା। ନବରାତ୍ରି ଆରମ୍ଭ ହେବା ମାତ୍ରେ ଦୂରଦୂରାନ୍ତରୁ ଭକ୍ତମାନେ ପୂଜା କରିବାକୁ ଏଠାକୁ ଆସନ୍ତି। ନବରାତ୍ରୀ ସମୟରେ ଏଠାରେ ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଏହି ମନ୍ଦିରର ବିଶେଷ କଥା ହେଲା ଏହି ମନ୍ଦିରରେ ତାନ୍ତ୍ରିକ ବିଧିରେ ପୂଜା ହୋଇଥାଏ। ୧୫୪୩ ଖ୍ରୀଷ୍ଟାବ୍ଦରେ ରାଜବଂଶର ଇଷ୍ଟଦେବୀଙ୍କ ମାତା ଭବାନୀ ଶଙ୍କର ମନ୍ଦିରରେ କୁନୱାର ଗୋକୁଲନାଥ ଶାହଦେବ ପ୍ରଥମଥର ପୂଜା କରିଥିଲେ। ଭବାନୀ ଶଙ୍କର ମନ୍ଦିରରେ ଅଷ୍ଟଧାତୁର ଯୁଗଳ ମୂର୍ତ୍ତି ପୂଜନୀୟ କିନ୍ତୁ ଏହା ଦର୍ଶନୀୟ ନୁହେଁ। ବିଶ୍ୱାସ କରାଯାଏ ଯେ ଏଠାରେ ମୂର୍ତ୍ତିକୁ ଖୋଲା ଆଖିରେ ଦର୍ଶନ କଲେ ଆଖିର ଦୃଷ୍ଟିଶକ୍ତି ଚାଲିଯାଏ। ଦୁର୍ଗା ପୂଜା ଅବସରରେ ପୂଜାରୀ ଆଖିରେ ପଟି ବାନ୍ଧି ଯୁଗଳ ମୂର୍ତ୍ତିର ପୋଷାକ ବଦଳାନ୍ତି ଓ ପୂଜାର୍ଚ୍ଚନା କରନ୍ତି।
୭୦ ଦଶକରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଯାଇଥିଲା ଯାହା ସଡକ ନିର୍ମାଣ ବେଳେ ରାତୁର ରବିବାର ବଜାର ନିକଟରେ ମିଳିଥିଲା। ଏକ ଦୀର୍ଘ ନ୍ୟାୟିକ ପ୍ରକ୍ରିୟା ପରେ ୧୯୯୧ ମସିହାରେ ହାଇକୋର୍ଟଙ୍କ ଦ୍ୱାରା ମୂର୍ତ୍ତିର ଅଧିକାର ଠାକୁରଗାଓଁ ରାଜବଂଶକୁ ମିଳିଥିଲା। ଏଠାରେ ଷଷ୍ଠୀରେ ମଞ୍ଜନ ସହ ଛେଳି ବଳି ଦିଆଯାଏ। ସପ୍ତମୀରେ କଳସ ସ୍ଥାପନା ଓ ଅଷ୍ଟମୀରେ ସନ୍ଧି ପୂଜା ଦିନ ଛେଳି ବଳି ଦିଆଯାଏ। ନବମୀ ଦିନ ଶହ ଶହ ଛେଳି ଓ ମଇଁଷି ବଳି ଦେବା ପରମ୍ପରା ଅଛି। ଭକ୍ତ ବର୍ଷସାରା ଭବାନୀ ଶଙ୍କର ମନ୍ଦିର ଦର୍ଶନ ପାଇଁ ଆସିଥାନ୍ତି। ନବରାତ୍ରୀ ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସିଥାନ୍ତି।
ଦଶମୀ ଦିନ ରାଜବଂଶର ଠାକୁର ଲାଲ ରାମକୃଷ୍ଣନାଥ ଶାହଦେବ ଓ ତାଙ୍କ ବଂଶଜଙ୍କ ଦ୍ୱାରା ଅଞ୍ଚଳବାସୀଙ୍କୁ ପାନ ବାଣ୍ଟିବା ପରମ୍ପରା ରହିଛି। ଏହି ମନ୍ଦିରରେ ସାକ୍ଷାତ ମା’ ଭବାନୀ ଶଙ୍କର ବିରାଜମାନ ବୋଲି କୁହାଯାଏ। ସେଥିପାଇଁ ଠାକୁରଗାଓଁ ଅଞ୍ଚଳରେ ଦୁର୍ଗା ପୂଜା ମଣ୍ଡପ ନିର୍ମାଣ ବା ମୂର୍ତ୍ତି ସ୍ଥାପନା ହୁଏନାହିଁ। ମନ୍ଦିରରେ ଗତ ବର୍ଷ ଭଳି ଏଥର ମଧ୍ୟ କୋଭିଡ ନିୟମ ଅନୁଯାୟୀ ପୂଜା ଆୟୋଜନ କରାଯାଇଛି। ମହା ନବମୀ ଦିନ କେବଳ ରାଜବଂଶ ଓ ବିଶିଷ୍ଟ ଲୋକ ବଳି ଅର୍ପଣ କରିଥାନ୍ତି ।