ନୂଆଦିଲ୍ଲୀ, ୨୬/୧: ୭୪ତମ ସାଧାରଣତନ୍ତ୍ର ଦିବସକୁ ସାରା ଦେଶରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥୀ ଭାବେ ମଞ୍ଚ ମଣ୍ଡନ କରିଛନ୍ତି ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି ।
ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ ଅନୁଷ୍ଠିତ ହୋଇଛି । ଏହାର ନେତୃତ୍ବ ନେଇଛନ୍ତି ଭାରତୀୟ ସେନାର ସୁପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଛନ୍ତି । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହୋଇଛନ୍ତି ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟରକୁ ଲିଡ୍ ନେଇଛନ୍ତି ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ସ୍ୱଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।
ଆଜିର ଦିନରେ ଦେଶକୁ ମିଳିଥିଲା ବିଶ୍ୱର ସବୁଠାରୁ ବଡ଼ ସମ୍ବିଧାନ । ବ୍ରିଟିଶ ସମ୍ବିଧାନିକ ବ୍ୟବସ୍ଥା ଅପସାରଣ ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା ଭାରତ । ଏହା ସହିତ ଦେଶରେ ଆରମ୍ଭ ହୋଇଥିଲା ଲିଖିତ ସାମ୍ବିଧାନିକ ବ୍ୟବସ୍ଥା ।