ଭୁବନେଶ୍ୱର, ୧୦/୧୦ : ଆସୁଛି କଟକର ଐତିହାସିକ ବାଲିଯାତ୍ରା। ମେଳାରେ ଷ୍ଟଲ୍ ଖୋଲିବାକୁ ଯୋଜନା କରୁଥିବା ବ୍ୟବସାୟୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ବାଲିଯାତ୍ରା ପ୍ଲଟ୍ ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ଏଥର ଉଭୟ ପଡ଼ିଆରେ ମୋଟ ୨,୦୪୪ଟି ଷ୍ଟଲ୍ ରହିବ। ପ୍ଲଟ୍ର ମୂଲ୍ୟ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ରଖାଯାଇଛି। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ପାଇଁ ପ୍ଲଟ୍ ଆବଣ୍ଟନ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ଆବେଦନ ଗ୍ରହଣ କରାଯିବ। ବାରବାଟୀ ପ୍ୟାଲେସଠାରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ କରିବାର ସୁବିଧା ରହିବ। ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠାରୁ ଅକ୍ଟୋବର ୧୭ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ଏହାପରେ ନଭେମ୍ବର ୨ରୁ ପ୍ଲଟ୍ ନିଲାମ ଆରମ୍ଭ ହେବ। ନିଲାମ ପରେ ଯେଉଁ ପ୍ଲଟ୍ ବଳକା ରହିବ, ସେଗୁଡ଼ିକୁ ସ୍ପଟ୍ ନିଲାମରେ ବିକ୍ରି କରାଯିବ। ଚଳିତ ବର୍ଷ ତଳ ପଡ଼ିଆରେ ୧,୪୫୨ଟି ଷ୍ଟଲ୍ ଏବଂ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍ କରାଯିବ। ଅର୍ଥାତ୍ ମୋଟ ୨,୦୪୪ଟି ଷ୍ଟଲ୍ରେ ବ୍ୟବସାୟର ସୁଯୋଗ ରହିବ। ପ୍ଲଟ୍ର ନିର୍ଦ୍ଧାରିତ ମୂଲ୍ୟ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ଥିବାବେଳେ ନିଲାମ ପ୍ରକ୍ରିୟାରେ କେଉଁ ପ୍ଲଟ୍ କାହାକୁ ମିଳିବ, ତାହା ଉପରେ ବ୍ୟବସାୟୀଙ୍କ ନଜର ରହିଛି। ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ଏହା କଟକର ଐତିହ୍ୟ ଓ ବାଣିଜ୍ୟିକ ପରମ୍ପରାର ପ୍ରତୀକ। ତେଣୁ ଏଥର ଷ୍ଟଲ୍ ଆବଣ୍ଟନ ଓ ନିଲାମକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ରହିଛି।