ଆଇସିଏଆଇ (ICAI) ପକ୍ଷରୁ Bank Audit ୨୦୨୬ ସମ୍ପର୍କୀତ ସେମିନାର ଆୟୋଜିତ

ଭୁବନେଶ୍ୱର : (ଓଡିଶା ଖବର) – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI)ର ପୂର୍ବ ଭାରତ ଅଞ୍ଚଳୀୟ ପରିଷଦ ଅଧିନସ୍ଥ ଭୁବନେଶ୍ୱର ଶାଖା ପକ୍ଷରୁ ଏବଂ ଅଡିଟିଂ ଆଣ୍ଡ୍ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ ବୋର୍ଡର ସହଯୋଗରେ “Bank Audit -2026 Practical Challenges and Emerging Issues” ସମ୍ପର୍କୀତ ଏକ ଦିନିକିଆ ସମ୍ମିଳନୀ ICAI ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉପାଧ୍ୟକ୍ଷ ସିଏ ଡଃ. ପୃଥ୍ୱୀ ରଞ୍ଜନ ପାଢ଼ୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଉଦ୍‌ଘାଟନୀ ଅଧିବେଶନରେ ଶାଖା ଅଧ୍ୟକ୍ଷ ସିଏ ଡଃ. ଗୌତମ ଲେଙ୍କା ସ୍ୱାଗତ ଭାଷଣ ଦେଇ ବ୍ୟାଙ୍କ ଅଡିଟ୍ କ୍ଷେତ୍ରରେ ବୃଦ୍ଧିପାଉଥିବା ଜଟିଳତା ଏବଂ ପେଶାଜିବୀମାନଙ୍କ ପାଇଁ ନିରନ୍ତର ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେମିନାର ଅଧ୍ୟକ୍ଷ ସିଏ ଅରୁଣ କୁମାର ବର୍ମା ଅଡିଟରମାନେ ସମ୍ମୁଖୀନ ହେଉଥିବା ପ୍ରାୟୋଗିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥିରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଷ୍ଟାଚ୍ୟୁଟୋରି ସେଣ୍ଟ୍ରାଲ ଅଡିଟର ସିଏ ପ୍ରଶାନ୍ତ ପଣ୍ଡା ବୃତ୍ତିଗତ ସନ୍ଦେହପରାଣୟତା ଏବଂ ଅଡିଟିଂ ମାନଦଣ୍ଡ ଅନୁସରଣର ଗୁରୁତ୍ୱ ଉପରେ ଅଲୋକପାତ କରିଥିଲେ ।

 

ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ସିଏ ସୁଜୟ ଦତ୍ତ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପୁଜୁଥିବା ବିପଦ ଏବଂ ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଛଳତାକୁ ବଜାୟ ରଖିବାରେ ଅଡିଟରମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଟେକ୍ନିକାଲ ସେସନରେ ହାଇଦ୍ରାବାଦର ଡାକ୍ତର ପି. ଶିବ ରାମା ପ୍ରସାଦ ବ୍ୟାଙ୍କ ବ୍ରଞ୍ଚ ଅଡିଟ୍‌ରେ ପ୍ରମୁଖ ବୈଶିଷ୍ଟ୍ୟତାଗୁଡିକ ଉପରେ ଆଲୋଚନା କରିଥିବା ସହ ମୁମ୍ବାଇର ସିଏ ଶ୍ୱେତା ଜୟନ୍ତ ଜୈନ ଅଡିଟ୍ କ୍ଷେତ୍ରର ଉପୁଜୁଥିବା ସମସ୍ୟାର ଦିଗଗୁଡିକ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ଶାଖା ସଚିବ ସିଏ ସୌମ୍ୟ ସୁନୀଲ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅଂଶଗ୍ରହଣକାରୀମାନେ ଏହି ସେମିନାରକୁ ସୂଚନାମୂଳକ ଓ ଉପଯୋଗୀ ବୋଲି ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମଗ୍ର ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ୍ୱ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅଡିଟ୍ ବୃତ୍ତିଗତଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ମ୍ୟାନେଜିଂ କମିଟି ସଦସ୍ୟ ସିଏ ଗଗନ ବିହାରୀ ଦାସ ଏବଂ ସିଏ ପ୍ରଣବ କିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।