ନୂଆଦିଲ୍ଲୀ, ୩୦/୧୨: ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଷ୍ଟାର କ୍ରିକେଟର । ଏବେ ସେ ବିପଦ ମୁକ୍ତ ଅଛନ୍ତି । ହେଲେ ଶରୀରରେ ଲାଗିଛି ଗଭୀର ଆଘାତ । ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଋଷଭ।
ଖବର ଅନୁସାରେ , ଋଷଭ ପନ୍ତ ତାଙ୍କ ମାଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ । ସେଥିପାଇଁ ସେ ବିଳମ୍ବିତ ରାତିରେ ଦିଲ୍ଲୀରୁ ରୁଡକୀ ଆଡକୁ ନିଜ କାରରେ ଏକୁଟିଆ ଆସୁଥିଲେ । ତେବେ ଗାଡିରେ ପନ୍ତ ହଠାତ୍ ଶୋଇପଡିଥିଲେ । ଯେଉଁଥିପାଇଁ ତାଙ୍କର ଦୁର୍ଘଟଣା ହୋଇଥିଲା । ତାଙ୍କ ସହ କାରରେ ଆଉ କେହି ଉପସ୍ଥିତ ନଥିଲେ । ଋଷଭ ପନ୍ତ ନିଜେ ରୁଡକୀରେ ତାଙ୍କ ପରିବାରକୁ ଭେଟିବା ପାଇଁ କାର୍ ଚଳାଉଥିଲେ । ହରିଦ୍ୱାର ପୋଲିସ ଅଧୀକ୍ଷକ କହିଛନ୍ତି ଯେ ହରିଦ୍ୱାର ଜିଲ୍ଲାର ମାଙ୍ଗାଲୋର ଏବଂ ନରସନ ମଧ୍ୟରେ ଥିବା NH-୫୮ରେ ପନ୍ତଙ୍କ କାର ଡିଭାଇଡରରେ ପିଟି ହୋଇଥିଲା । ତେବେ ଏତେ ଜୋରରେ ପିଟି ହୋଇଯାଇଥିଲା ଯେ, ସଂଗେ ସଂଗେ କାରରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ କ୍ରିକେଟରଙ୍କୁ ରୁଡକୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ପନ୍ତଙ୍କ ଗୋଡ ଭାଙ୍ଗି ଯାଇଛି । ତାଙ୍କ ମୁଣ୍ଡ ଓ ପିଠିରେ ମଧ୍ୟ ଆଘାତ ଲାଗିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଋଷଭଙ୍କ କାର ରେଲିଂକୁ ଧକ୍କା ଦେଇଥିଲା, ପରେ କାରରେ ନିଆଁ ଲାଗିଯାଇଥିଲା । ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା । 0ସେପଟେ ଅଧିକାରୀଙ୍କଠାରୁ ସୂଚନା ପାଇବା ପରେ ଗାଡି ଦୁର୍ଘଟଣାରେ ଆହତ କ୍ରିକେଟରଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ଦ୍ଦେଶ ଦେଇଛନ୍ତି । ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯଦି ଏୟାର ଆମ୍ବୁଲାନ୍ସ ଆବଶ୍ୟକ ହୁଏ, ଏଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ବୋଲି କୁହାଯାଇଛି ।
