କୋଲକାତା,୬/୪ : ଆଜି ଇଡେନ୍ ଗାର୍ଡେନ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସଂଧ୍ୟା ୭ଟା ୩୦ରେ ଖେଳିଯିବ ଏହି ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ନାଇଟ ରାଇଡର୍ସ ବିଜୟ ଖାତା ଖୋଲିବା ପାଇଁ ତତ୍ପର । ଘରୋଇ ସମର୍ଥକଙ୍କ ଗହଣରେ ସବୁ ଶକ୍ତି ଖଟାଇବାକୁ ନାଇଟ ରାଇଡର୍ସ ପ୍ରସ୍ତୁତ । ମାତ୍ର ଫର୍ମ ଫେରିପାଇଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ନାଇଟ ରାଇଡସର ନିଦ ହଜାଇ ଦେଇଛି ।
ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସର ମନୋବଳ ଶିଖର ଛୁଇଁଛି । ପ୍ରମୁଖ ବ୍ୟାଟରମାନେ ଫର୍ମରେ ରହିଥିବାରୁ ଦଳ ସାମାନ୍ୟ ଆସ୍ୱସ୍ତ । ତଥାପି ବୋଲିଂ ବିଭାଗ ସୁଦୃଢ କରିବା ପାଇଁ ଦଳ ପ୍ରୟାସ ଚଳାଇଛି । ରିସ ଟପଲି ଆହତ ହେବା ଫଳରେ ଦଳର ଚିନ୍ତା ବଢି ଯାଇଛି । ପୂର୍ବରୁ ରଜତ ପାତିଦାର ଆହତ ହୋଇ ବାଦ ପଡ଼ିଥିବାବେଳେ ଜୋସ ହାଜେଲଉଡ୍ ଓ ୱାନିଣ୍ଡୁ ହସରଙ୍ଗା ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି । ତେଣୁ ବୋଲିଂ ବିଭାଗକୁ ନେଇ ଦଳର ପରୀକ୍ଷା ନୀରିକ୍ଷା ଜାରି ରହିବ ।
ନାଇଟ ରାଇଡର୍ସରେ ମଧ୍ୟ ଆହତ ଓ ଅନୁପସ୍ଥିତଙ୍କ ସଂଖ୍ୟା ବଢି ଚାଲିଛି । ଶ୍ରେୟାସ ଆୟର ସମ୍ପୂର୍ଣ୍ଣ ବାଦ ପଡ଼ିଥିବାବେଳେ ସାକିବ ଓହରି ଯାଇଛନ୍ତି । ଲୋକି ଫର୍ଗୁସନ ଏପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି । ଲିଟନ ଦାସ ଦଳରେ ଯୋଗ ଦେଇ ନାହାନ୍ତି । ତେଣୁ ନାଇଟ ରାଇଡର୍ସର ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ ରହିବ । ବୋଲିଂ ବିଭାଗରେ ବିଭିନ୍ନତା ରହିଛି । ତଥାପି ଆନ୍ଦ୍ରେ ରସେଲ ଓ ସୁନିଲ ନାରାଏନଙ୍କ ଉପରେ ଦଳ ନିର୍ଭର କରିବ ।
