ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଭୁବନେଶ୍ୱରରୁ ବାହାରୁଥିବା ରିପୋର୍ଟରେ ଦର୍ଶାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ନିୟମ କଡ଼ାକଡ଼ି ପାଳନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ତେବେ କୋଭିଡ ସଂକ୍ରମଣ ସମସ୍ତ ଜାଗାରେ ବଢୁଥିବାରୁ ଏହାକୁ ନେଇ ପ୍ରଶାସନ ଆଲର୍ଟ ରହିଛି। କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଲୋକଙ୍କୁ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଛି। ବିଏମସି ପକ୍ଷରୁ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ସହ କୋଭିଡ ଗାଇଡଲାଇନର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୭ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୩୦୭ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୮୭ ଆକ୍ରାନ୍ତ ଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୫, ଷ୍ଟେଟପୁଲରୁ ୬୦, ସୁନ୍ଦରଗଡରୁ ୬୫, ପୁରୀରୁ ୩୬ ଓ ମୟୂରଭଞ୍ଜରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫, ୩୨୮କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୩୮୭୮ ରହିଛି । ୨୪ ଘଣ୍ଟା ମଧ୍ୟରେ ୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୨,୨୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।