ନୂଆଦିଲ୍ଲୀ, ୧୫/୦୮ : ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଦାଚ୍ଛନ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ସ୍କର୍ପିଓ ରାସ୍ତାରୁ ଖସି ଚେନାବ ନଦୀକୁ ଖସିପଡ଼ିବାରୁ ଅତି କମରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଲହରି ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ କରୁଛି । ସକାଳ ପ୍ରାୟ ୧୦ଟା ୪୫ରେ ୟାଇନୱାନ-ଡାଙ୍ଗଦାରୁ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ସ୍କର୍ପିଓଟି ଡାଙ୍ଗଦାରୁରୁ ସାଉଣ୍ଡର ଅଭିମୁଖେ ଯାଉଥିବା ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସି ଚେନାବ ନଦୀକୁ ଖସିପଡିଥିଲା । ଘଟଣା ପରେ ଦାଚ୍ଛନ ଥାନାର ପୋଲିସ ଟିମ୍, ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୫ଟି ମୃତଦେହ ଉଦ୍ଧାର କରାଯାଇଛି । ଗାଡ଼ିରେ ଠିକ୍ କେତେ ଜଣ ଯାତ୍ରୀ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ମୃତକମାନେ ପାକଲ ଡୁଲ୍ ଜଳବିଦ୍ୟୁତ ପ୍ରକଳ୍ପ ସହ ଜଡ଼ିତ ଶ୍ରମିକ ଥିଲେ । ଏହି ଦୁର୍ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ିରେ ଥିବା ଯାତ୍ରୀଙ୍କ ସଂଖ୍ୟା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ।