ଦିନକରେ ନିବେଶକଙ୍କ ବୁଡିଗଲା ୨ଲକ୍ଷ କୋଟି ଟଙ୍କା, ୬୩୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ,୧୦/୧: ବୈଶ୍ୱିକ ବଜାରର ମିଶ୍ରିତ କାରବାର ପ୍ରଭାବରେ ଭାରତୀୟ ସେୟାର ବଜାର ୧୦ଜାନୁୟାରୀ ମଙ୍ଗଳବାର ପୁଣି ଥରେ ହ୍ରାସରେ ବନ୍ଦ ହୋଇଛି। ମଙ୍ଗଳବାର ଆଇଟି ଓ ବ୍ୟାଙ୍କିଙ୍ଗ ସେୟାରରେ ବିକ୍ରି ଦେଖାଯାଇଛି। ୩୦ ସେୟାରର ବିଏସଇ ସୂଚକାଙ୍କ ୬୩୧. ୮୩ ପଏଣ୍ଟ ବା ୧.୦୪ ପ୍ରତିଶତ ହ୍ରାସ ସହ ୬୦,୧୧୫.୪୮ ସ୍ତରରେ ବନ୍ଦ ହୋଇଛି। ଅପରପଟେ ୫୦ ସେୟାରର ସୂଚକାଙ୍କ ନିଫ୍ଟି ୧୭୬.୩୫ ପଏଣ୍ଟ ଅର୍ଥାତ ୦.୯୭ ପ୍ରତିଶତ ହ୍ରାସ ସହ ୧୭,୯୨୪.୮୫ ସ୍ତରରେ ବନ୍ଦ ହୋଇଛି।

ସେହିପରି ମିଡକ୍ୟାପ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ପାଖାପାଖି ୦.୫ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି। ଏହା ଛଡା ନିଫ୍ଟି ବ୍ୟାଙ୍କରେ ୧ ପ୍ରତିଶତ ହ୍ରାସ ଦେଖାଯାଇଛି। ଏହି ହ୍ରାସ ଯୋଗୁ ମଙ୍ଗଳବାର ଗୋଟିଏ ଦିନରେ ନିବେଶକ ବଜାରରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇଛନ୍ତି। ନିବେଶକଙ୍କ ଏପରି କ୍ଷତି ଯୋଗୁ ବିଏସଇରେ ସୂଚୀଭୁକ୍ତ କମ୍ପାନୀଙ୍କ ମୋଟ ମାର୍କେଟ କ୍ୟାପିଟାଲ ହ୍ରାସ ହୋଇ ୨୮୦.୮୯ ଲକ୍ଷ ଟଙ୍କକୁ ପହଞ୍ଚି ଯାଇଛି। ଯାହା ଗତ କାରବାର ଦିନ ଅର୍ଥାତ ୯ ଜାନୁୟାରୀ ସୋମବାର ୨୮୨.୮୯ ଲକ୍ଷ କୋଟି ଟଙ୍କାରେ ଥିଲା।

ଫଳରେ ବିଏସଇରେ ସୂଚୀଭୁକ୍ତ କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲରେ ମଙ୍ଗଳବାର ୨.୧୦ ଲକ୍ଷ କୋଟି ଟଙ୍କାର ହ୍ରାସ ଦେଖାଯାଇଛି। ତେବେ ସେନସେକ୍ସରେ ୫ ସେୟାର ଅଭିବୃଦ୍ଧି ସହ ବନ୍ଦ ହୋଇଛନ୍ତି। ଏଥିରେ ଟାଟା ମୋଟର୍ସର ସେୟାରରେ ୫.୯୨ପ୍ରତିଶତ ବୃଦ୍ଧି ଦେଖାଯାଇଥିବା ବେଳେ ପାୱାର ଗ୍ରିଡ, ଟାଟା ଷ୍ଟିଲ, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ହିନ୍ଦୁସ୍ତାନ ୟୁନିଲିଭରରେ ସବୁଠୁ ଅଧିକ ବୃଦ୍ଧି ଦେଖାଯାଇଛି। ଏହି ସବୁ ସଂସ୍ଥାଙ୍କ ସେୟାରରେ ୦.୭୮ ପ୍ରତିଶତରୁ ୧.୩୯ ପ୍ରତିଶତ ବୃଦ୍ଧି ଦେଖାଯାଇଛି।