ନୂଆଦିଲ୍ଲୀ ,୨୨/୨ : ଦିଲ୍ଲୀରେ ଇତିହାସ ରଚିଛି ଆମ ଆଦମୀ ପାର୍ଟି । ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍ର ଶେଲୀ ଓବରଏ ଆଜି ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି ନିର୍ବାଚନ ଶେଷ ହେବାର ୭୫ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛନ୍ତି। ପୂର୍ବରୁ ୩ଥର ହଟ୍ଟଗୋଳ ଯୋଗୁ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ ହୋଇପାରି ନଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ୧୦ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ସୁପ୍ରିମକୋର୍ଟ ବାରଣ କରିଥିଲେ। ସେମାନେ ମଧ୍ୟ ଆଜି ଭୋଟ ଦେଇ ନାହାନ୍ତି।
ଆଜି ନିର୍ବାଚନରେ ମୋଟ ୨୪୧ ଜଣ କର୍ପୋରେଟର ଭୋଟ ଦେଇଥିଲେ। ଏହାବାଦ ଦିଲ୍ଲୀର ୭ ଲୋକସଭା, ୩ ରାଜ୍ୟସଭା ସାଂସଦ ଓ ୧୪ ଜଣ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି। କଂଗ୍ରେସର ୯ ଜଣ କର୍ପୋରେଟର ପୂର୍ବ ନିଷ୍ପତ୍ତି ଅନୁସାରେ ଭୋଟ ଦେଇ ନଥିଲେ। ଶେଷରେ ଆପ୍ର ଶେଲୀ ଓବରୟ ୩୪ ଖଣ୍ଡ ଭୋଟ ବ୍ୟବଧାନରେ ମେୟର ନିର୍ବାଚନ ଜିତିଛନ୍ତି।
ଏମସିଡି ୨୫୦ ଆସନ ବିଶିଷ୍ଟ ନିର୍ବାଚନରେ ଆପ୍ ୧୩୪ଟି ଆସନ ଜିତିଥିବା ବେଳେ ବିଜେପି ୧୦୪ଟି ବାଜିମାତ କରିଥିଲା। ଦୀର୍ଘ ୧୫ ବର୍ଷ ହେଲା ବିଜେପି ଏମସିଡି ନିର୍ବାଚନ ଜିତୁଥିବା ବେଳେ ଏଥର ଆପ୍ କ୍ଷମତା ଛଡ଼ାଇ ଆଣିଥିଲା। ଆଜିର ବିଜୟ ପରେ ଆପ୍ର ଶେଲୀ ଓବରୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ କରି ଗୁଣ୍ଡା ହାରିଲେ ଓ ଲୋକ ଜିତିଲେ ବୋଲି କହିଛନ୍ତି। ସେହିପରି ଆପ୍ ସମର୍ଥକମାନେ ମଧ୍ୟ ବିଜୟ ପରେ ସେଲିବ୍ରେସନ ଆରମ୍ଭ କରିଛନ୍ତି।
