ଶୋପିଆଁ ଏନକାଉଣ୍ଟରର ପର୍ଦ୍ଦାଫାସ : ୩ ଦିନମଜୁରିଅାଙ୍କୁ ଆତଙ୍କବାଦୀ ସଜେଇ ଏନକାଉଣ୍ଟର କରିଥିଲେ ସେନା ଅଧିକାରୀ !
ଶ୍ରୀନଗର : ବହୁ ଚର୍ଚ୍ଚିତ ଶୋପିଆଁର ଫେକ ଏନକାଉଣ୍ଟର ମାମଲାରେ ଜମ୍ମୁ-କଶ୍ମୀର ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି। ପୁଲିସ ତଦନ୍ତରେ ସେନାର ଏହି ଏନକାଉଣ୍ଟର ନକଲି ଥିଲା ବୋଲି ପର୍ଦ୍ଦାଫାସ ହୋଇଛି । ରାଜୌରୀ ତିନିଜଣ ଦିନମଜୁରିଅାଙ୍କୁ ଆତଙ୍କବାଦୀ ସଜେଇ ସେନାର ଜଣେ କ୍ୟାପଟେନ୍ ଭୁପେନ୍ଦ୍ର ସିଂ ଓରଫ୍ ମେଜର୍ ବସୀର ଖାନ୍ ଓ ତାଙ୍କର ଦୁଇ ସହଯୋଗୀ କିପରି ଭାବେ ଅତି ନିଷ୍ଠୁର ଭାବେ ଗୁଳି କରି ହତ୍ୟା କରିଥିଲେ ତାହା ଏହି ଚାର୍ଜସିଟରେ ଉଲେଖ ରହିଛି ।
ଜମ୍ମୁ-କଶ୍ମୀର ପୁଲିସର ଚାର୍ଜସିଟ୍ ଅନୁଯାୟୀ, ତିନି ନିର୍ଦ୍ଦୋଷ ଯୁବକଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଏକ ଗାଡ଼ିରେ ବସାଇ କିଛି ଦୂରରେ ଥିବା ଏକ ବଗିଚାକୁ ନିଆଯାଇଥିଲା । ଏହାପରେ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ଚାଲି ଚାଲି ଯିବାକୁ କୁହାଯାଇଥିଲା। ସେମାନେ କିଛି ଦୂର ଯିବାପରେ ହଠାତ୍ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ଏହାପରେ ସେମାନଙ୍କ ହାତରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଧରାଇ ଦିଆଯାଇଥିଲା । ପୂର୍ବ ଯୋଜନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାକୁ ଏନକାଉଣ୍ଟରର ଆଖ୍ୟା ଦିଆଯାଇଥିଲା।