ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ରଥ ଟାଣିବେ ସେବାୟତ ଓ ପୋଲିସ

ଭୁବନେଶ୍ୱର, ୨୦/୪ : ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା । ମାଉସୀ ମା’ ଛକସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରିବେ ପ୍ରଭୁ ଶ୍ରୀଲିଙ୍ଗରାଜ । ରଥରେ ବିରାଜମାନ କରିବେ ପ୍ରଭୁ ଚନ୍ଦ୍ରଶେଖର, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ। ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ।

ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା ହେବ । ସେବାୟତମାନେ ରଥକୁ ଟାଣି ଟାଣି ନେବେ। ପୋଲିସ ଏଥିରେ ସେବାୟତମାନଙ୍କୁ ସହଯୋଗ କରିବେ। ଆଗ ଭଳି ଆଉ ଏବର୍ଷ ରଥଦାଣ୍ଡ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ କୋଳାହଳରେ ଉଛୁଳି ପଡ଼ିବ ନାହିଁ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ।

ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ କରିଛି। ମନ୍ଦିରରେ କେବଳ ପାଳିଆ ସେବାୟତ ରହି ସେବା କରିବେ। ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଚାଲିଥିଲା। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା କରାଯିବ। ପୂର୍ବାହ୍ନ ୯ଟା ୧୫ମିନିଟ୍ ସୁଦ୍ଧା ସକାଳ ଧୂପ ନୀତି ସରିବ।

ସେହିପରି ଭୋଗ ମଣ୍ଡପ ନୀତି ୯ଟା ୪୫ମିନିଟ୍ ରେ ଆରମ୍ଭ କରି ଘଣ୍ଟାକ ଭିତରେ ସାରିବେ ସେବାୟତ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ।

ରଥଦାଣ୍ଡରେ ଜାରି ହୋଇଛି ୧୪୪ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଉପଲକ୍ଷେ କମିସନରେଟ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ନିର୍ଦେଶନାମା ଜାରି ହୋଇଛି। ଏହି ୨ଦିନ ରଥଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମାଉସୀମା ଛକଠାରୁ ରଥଦାଣ୍ଡ ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ। ମାଉସୀମା’ ଛକଠାରୁ ସବୁ ଗାଡ଼ି ସଂଗ୍ରହାଳୟ ଛକ କିମ୍ବା ବିବେକାନନ୍ଦମାର୍ଗ ଦେଇ ଯାତାୟାତ କରିପାରିବ। ସେହିପରି ରଥଦାଣ୍ଡକୁ ସଂଯୋଗ ହୋଇଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡି ଛକ, ମୁନା ମେଡ଼ିକାଲ ଛକ, ପୁନାମା ଗେଟ୍‌ ରାସ୍ତାଦେଇ କୌଣସି ଯାନବାହନ ଯାତାୟାତ କରିପାରିବେ ନାହିଁ।

ଏତଦ୍‌ବ୍ୟତୀତ ରଥଖଳାଠାରୁ ରଥଦାଣ୍ଡ ଦେଇ କୌଣସି ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାତୟାତ କରିପାରିବେ। ଏହି କଟକଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜାରି କରାଯାଇଛି। ଉଲ୍ଲଙ୍ଘନକାରୀଙ୍କଠାରୁ ୫୦୦ରୁ ସର୍ବାଧିକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚାଇ ଦିଆଯାଇଛି। ରୁକୁଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ କମିସନରେଟ ପୁଲିସ ପକ୍ଷରୁ ରଥଦାଣ୍ଡରେ ୧୪୪ ଜାରି କରାଯାଇଥିବାବେଳେ ଦିନ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରଥଦାଣ୍ଡ ଉଭୟ ପାର୍ଶ୍ବରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ ା ୨୩ଟି ସ୍ଥାନରେ ପୁଲିସ ମୁତୟନ ହେବ ବୋଲି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି।