ପେଟ କାଟିବା, ହଠାତ ପେଟ ଫୁଲି ଯିବା ଆଦି ଅଜୀର୍ଣ୍ଣ ହେବାର ଲକ୍ଷଣ । ଅଜୀର୍ଣ୍ଣ ଅର୍ଥ ଖାଦ୍ୟ ଭଲ ଭାବରେ ହଜମ ନହେବା । ଆରମ୍ଭ ସମୟରେ ବାନ୍ତି ଲାଗିବା, ବାନ୍ତି ହେବା, ପେଟ ଜଳିବା, ହେକୁଟି ପରି ଲକ୍ଷଣ ଦେଖାଯାଏ । ସାଧାରଣତଃ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଜୀର୍ଣ୍ଣ ପରି ସମସ୍ୟା ଦେଖାଯାଏ । ଯଦି ଏପରି ବାରମ୍ବାର ହେଉଥାଏ ତା’ହେଲେ ଡାକ୍ତରୀ ଔଷଧ ଅଧିକ ଖାଇବା ପରିବର୍ତ୍ତେ ଘରୋଇ ଉପାୟ ଆପଣେଇ ପାରିବେ । ଯାହା ଅଜୀର୍ଣ୍ଣ ପରି ସମସ୍ୟାକୁ ଅଧିକ ବଢ଼ିବାକୁ ଦେବ ନାହିଁ ଏବଂ ତୁରନ୍ତ ଆରାମ ଦେବ । ତେବେ ଆସନ୍ତୁ ଜାଣିବା କିଛି ସହଜ ଘରୋଇ ଉପଚାର ସମ୍ପର୍କିତ ତଥ୍ୟ ।
ଲେମ୍ବୁ, ଅଦା ଓ ମହୁ: ଦୁଇ ଚାମଚ ଲେମ୍ବୁ ରସ, ଅଦା ରସ ଓ ମହୁକୁ ଏକ ଗ୍ଲାସ ଉଷୁମ ପାଣିରେ ଗୋଳେଇ ଖାଦ୍ୟ ଖାଇବା ପରେ ପିଅନ୍ତୁ । ଏପରି ଏକ ସପ୍ତାହ କରନ୍ତୁ ।
ଧନିଆ ଗୁଣ୍ଡ: ଏକ ଚାମଚ ଧନିଆ ଗୁଣ୍ଡକୁ ଏକ ଗ୍ଲାସ୍ ବଟର ମିଲ୍କରେ ଗୋଳାଇ ପିଇଲେ ତୁରନ୍ତ ବଦହଜମି ସମସ୍ୟା ଦୂରହୁଏ ।
ହର୍ବାଲ ଚା’: ଅଜୀର୍ଣ୍ଣ ହେବାର ଅନୁଭବ କରୁଥିଲେ କ୍ଷୀର ଚା’ ପିଇବା ପରିବର୍ତ୍ତେ ଗ୍ରୀନ୍ ଟି କିମ୍ବା ନିଜ ପସନ୍ଦର ହର୍ବାଲ ଟି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ ।
ଅଦା ଓ ଲୁଣ: ଅଦାରେ ବହୁ ପରିମାଣର ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି । ଛୋଟ ଅଦାକୁ ଛେଚି ସେଥିରେ କିଛି ଲୁଣ ଦେଇ ଚୋବାଇ ଖାଇଲେ ବି ଅଜୀର୍ଣ୍ଣ ସମସ୍ୟା ରୁହେ ନାହିଁ ।
ବେକିଂ ସୋଡ଼ା: ଗୋଟିଏ ଚାମଚ ବେକିଂ ସୋଡ଼ାକୁ ଅଧା ଗ୍ଲାସ୍ ପାଣିରେ ଭଲ ଭାବରେ ଗୋଳାଇ ପିଅନ୍ତୁ । ଦେଖିବେ ଏହା ତୁରନ୍ତ ହଜମ କରାଇବାରେ ସାହାଯ୍ୟ କରିବ ।