ନୂଆଦିଲ୍ଲୀ, ୧୦/୧୧ : ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ ଉନ୍ମୋଚିତ ହୋଇଛି । ଭାରତୀୟ ରାଜନୀତି ଓ ଗାନ୍ଧୀ ପରିବାରର ଅନେକ ଅକୁହା ଘଟଣାବଳୀ ଉପରୁ ପରଦା ହଟାଇଛି ପୁସ୍ତକଟି । ଇଟାଲୀରୁ ଇଣ୍ଡିଆ ଯାତ୍ରାର ଟିକନିଖ କାହାଣୀ ଏହି ବହିରେ ଲେଖିଛନ୍ତି ସୋନିଆ । ଇଟାଲୀର ଏକ ଛୋଟ ଗାଁରୁ ଆସି ଭାରତର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାରର ସଦସ୍ୟ ହେବା ପର୍ଯ୍ୟନ୍ତ ନିଜ ଜୀବନର ସଂଘର୍ଷ, ରାଜୀବ ଗାନ୍ଧୀଙ୍କ ସହ ପ୍ରେମ ଏବଂ ଭାରତକୁ ଆପଣେଇବାର ଭାବପ୍ରବଣ ଯାତ୍ରାକୁ ବର୍ଣ୍ଣନା କରିଛନ୍ତି । ୧୯୮୪ରେ ଶାଶୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୧୯୯୧ରେ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ନୃଶଂସ ହତ୍ୟା ପରେ ପରିବାର ଉପରେ ପଡ଼ିଥିବା ଗଭୀର ମାନସିକ ଆଘାତ ଓ ଦୁଃଖ ସମ୍ପର୍କରେ ସେ ଖୋଲାଖୋଲି ଉଲ୍ଲେଖ କରିଛନ୍ତି । ପୁସ୍ତକରେ ସବୁଠାରୁ ବଡ଼ ଖୁଲାସା ହେଉଛି, ୨୦୦୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି । ନିର୍ବାଚନ ପୂର୍ବରୁ ହିଁ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଧାନମନ୍ତ୍ରୀ ନ ହେବାକୁ କହିଥିଲେ । ଜେଜେମା ଓ ବାପାଙ୍କ ହତ୍ୟାକୁ ଆଖି ଆଗରେ ଦେଖିଥିବା ପିଲାମାନଙ୍କ ମନରେ ମା’ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗଭୀର ଭୟ ରହିଥିଲା । ଯାହା ଫଳରେ ସେ ସମ୍ପୂର୍ଣ୍ଣ ସ୍ପଷ୍ଟତାର ସହ ସେହି ପଦ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ । ପୁସ୍ତକ ଉନ୍ମୋଚନ ପୂର୍ବରୁ ସୋନିଆ ଗାନ୍ଧୀ ନିକଟରେ ଇନଷ୍ଟାଗ୍ରାମରେ ଯୋଗ ଦେଇ ନିଜ ପୁସ୍ତକର ପ୍ରଥମ ଝଲକ ସେୟାର କରିଥିଲେ । ଯେଉଁଥିରେ ସେ ଏହାକୁ ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜସ୍ୱ ପରିଚୟ ଖୋଜିବାର କାହାଣୀ ବୋଲି କହିଥିଲେ ।