ବୋମା ଭିଡ଼ିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର

ସୋରଡା : ଗଞ୍ଜାମ ଜିଲାର ସୋରଡ଼ା ବ୍ଳକ୍‍ ତଥା ବଡ଼ଗଡ଼ ଥାନା ଅନ୍ତର୍ଗତ କେ.ଭୀମପୁର ଗ୍ରାମରେ ବୋମା ବିସ୍ଫୋରଣ ହେବାରୁ ଜଣକର ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ମଲ୍ଲିକ ଓରଫ୍‍ ବୁଲୁ ଓ ଆହତ ଦୁଇଜଣ ହେଲେ ନିକଟସ୍ଥ ବାଟଶାସନ ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝି।

ସୂଚନା ମୁତାବକ ବଡଗଡ ଥାନା ଅନ୍ତର୍ଗତ କେ.ଭୀମପୁର ଗ୍ରାମର ଲିଙ୍ଗା ମଳିକଙ୍କ ପୁଅ ପ୍ରଶାନ୍ତ ମଳିକ ବାସ କରନ୍ତି। ଗ୍ରାମର ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ପ୍ରଶାନ୍ତ ରାଜମିସ୍ତ୍ରୀ ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ। ଗତ ଦଶହରାଠାରୁ କାମକୁ ନଯାଇ ଗ୍ରାମରେ ରହୁଥିଲେ। ଗୁରୁବାର ସକାଳୁ ଦୁଇଜଣ ସାଙ୍ଗ ନିକଟସ୍ଥ ବାଟଶାସନ ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝି ସହ ମିଶି ପ୍ରଶାନ୍ତ ନିଜ ଘରର ଛାତ ଉପରେ ଦେଶୀ ବୋମା ଭିଡୁଥିଲେ। ବିଭିନ୍ନ ବିସ୍ଫୋରକ ଦ୍ରବ୍ୟ ଜରିଆରେ ବୋମା ଭିଡୁଥିବା ବେଳେ ଅସାବଧାନବଶତଃ ବୋମାଟି ଫୁଟି ଯାଇଥିଲା। ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଓ ଦୁଇ ସାଙ୍ଗ ଗୁରୁତର ଆହତ ହୋଇଥିଲେ।