ପୁରୀ,୪/୩ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେ ଉପରେ ଆବଶ୍ୟକ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ଭିଡ଼ କମ୍ ବେଳେ ଦିବ୍ୟାଙ୍ଗମାନଙ୍କୁ ଝୁଲାରେ ନେଇ ଜୟବିଜୟ ଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ କରାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଝୁଲା ପ୍ରସ୍ତୁତ ହେବ। ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ସଂଖ୍ୟା ସୀମିତ ଓ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯିବ। ସେହି ଅନୁସାରେ ଏସ୍ଓପି ପ୍ରସ୍ତୁତ କରାଯିବ।
ଶ୍ରୀମନ୍ଦିର ଭିତରକୁ ହ୍ବିଲ୍ ଚେୟାର ପ୍ରବେଶ ପରମ୍ପରା ବିରୋଧୀ, ସେ ଦୃଷ୍ଟିରୁ ଉତ୍ତରଦ୍ବାର ଦେଇ ଝୁଲାରେ ଦିବ୍ୟାଙ୍ଗମାନଙ୍କୁ ଦର୍ଶନ ପାଇଁ ନେବାକୁ ଯୋଜନା କରାଯାଇଛି। ଅମରନାଥ, ବୈଷ୍ଣୋଦେବୀରେ ଯେଭଳି ଭକ୍ତମାନେ ଝୁଲାରେ ଯାଇ ଦର୍ଶନ କରୁଛନ୍ତି, ସେହି ଢାଞ୍ଚାରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ସେହି ଅନୁସାରେ ଝୁଲାର ଡିଜାଇନ୍ ହେବ।
ଦିବ୍ୟାଙ୍ଗମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପରେ ଘଣ୍ଟିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବେ। ବାହାର କାଠ ଓ ଭିତର କାଠ ମଝିରେ ଜୟ-ବିଜୟ ଦ୍ବାରରୁ ଦର୍ଶନ ବ୍ୟବସ୍ଥା କରାଯିବ। ଫଳରେ, ଅନ୍ୟ ଭକ୍ତମାନେ ବି ଦର୍ଶନରେ ଅସୁବିଧା ଭୋଗିବେନି। ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ରହିବ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍ ଖୋଲାଯିବ। ଏହି ପୋର୍ଟାଲ୍ ଜରିଆରେ ଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଦିବ୍ୟାଙ୍ଗମାନେ ଅନ୍ଲାଇନ୍ରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଯେଉଁମାନେ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେନି, ସେମାନଙ୍କ ପାଇଁ ଅଫ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ରହିବ। ପଞ୍ଜୀକରଣ ବେଳେ ସେମାନେ ନାମ, ବୟସ, ଓଜନ, ଦିବ୍ୟାଙ୍ଗ ପ୍ରମାଣପତ୍ର ଆଦି ଦେବେ। ଯେଉଁମାନେ ଚାଲିବୁଲି ପାରୁନଥିବେ, ସେହିମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଦୈନିକ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ସଂଖ୍ୟା ସୀମିତ ରଖାଯିବ। କେଉଁ ସମୟରେ ଓ କେତେ ସମୟ ଦିବ୍ୟାଙ୍ଗମାନେ ଦର୍ଶନ କରିବେ, ତା’ର ସମୟ ଧାର୍ଯ୍ୟ ହେବ। ପ୍ରତି ଦିବ୍ୟାଙ୍ଗଙ୍କ ସହ ଜଣେ ଆଟେଣ୍ଡାଣ୍ଟ ଯାଇପାରିବେ।