ଭୁବନେଶ୍ୱର,୯/୧୨ : ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା ଦୂର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର ୬,୬୪୬ଟି ନୂତନ ନଳକୂପ ଖନନ କରୁଛନ୍ତି ବୋଲି ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି, ରାଜ୍ୟରେ ମୋଟ ୫ ଲକ୍ଷ ୨୭ ହଜାର ୬୯୪ଟି ନଳକୂପ କାର୍ଯ୍ୟକ୍ଷମ ଅଛି। ଏହାବ୍ୟତୀତ ୬,୬୪୬ଟି ନୂତନ ନଳକୂପ ଖନନ କରାଯାଉଛି। ଯାଜପୁରରେ ସର୍ବାଧିକ ୧,୧୨୧ ନଳକୂପ ଖନନ କରାଯାଉଥିବା ବେଳେ କନ୍ଧମାଳରେ ୮୦୫ଟି ନଳକୂପ ଖନନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାରରେ ପାନୀୟଜଳ ପହଁଚିଛି। ଯାହା ମୋଟ ପରିବାରର ୭୭ ପ୍ରତିଶତ। ରାଜ୍ୟର ୧୫ ହଜାର ୪୨୦ ଗ୍ରାମରେ ସିଙ୍ଗଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରିବାର ସହ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି। ପୂର୍ବ ସରକାର କେବଳ ବସୁଥିଲେ। ଆମେ ଲକ୍ଷ୍ୟ ରଖିଛୁ, ଶୀଘ୍ର ପ୍ରକଳ୍ପ ସମାପ୍ତ କରି ଉଦଘାଟନ କରିବୁ। କେହି ଖରାପ କାମ କରୁଥିଲେ ଦଣ୍ଡ ଦେବୁ।