ମୋଦୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିର, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱକର୍ମାଙ୍କ ଭଳି ଆଧୁନିକ ଭାରତର ବିନ୍ଧାଣୀ । ମୋଦୀଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ସେବା ପାଇଁ ସମର୍ପିତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ “ସେବା ସଂକଳ୍ପ” କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସ୍ତରୀୟ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟର ସମସ୍ତ ବିନ୍ଧାଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଞ୍ଚରୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱକର୍ମାଙ୍କ ଭଳି ଆଧୁନିକ ଭାରତର ବିନ୍ଧାଣୀ । ଦୀର୍ଘ ୫୦ ଧରି ସେ ଦେଶର ସେବା କରିଛନ୍ତି । ସେଥି ମଧ୍ୟରେ ୨୫ ବର୍ଷର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାରତ କାୟାକଳ୍ପରେ ବିସ୍ତାର ଲାଭ କରିଛି । ମୋଦୀଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ସେବା ପାଇଁ ସମର୍ପିତ ।

ଆୟୋଜିତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ କେବଳ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ହେଉଛି ସେବା, ଉତ୍ସର୍ଗୀକୃତ ତ୍ୟାଗ ଓ ସାମୁହିକ ଭାବନାର ଜନ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ସର୍ବଦା ନିଷ୍ଠାପର ସହିତ ଜନ ସେବା, ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକଟି ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରେରଣା ଦେଇ ଆସିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡ଼ି ନପଡ଼େ, ସେଥିପାଇଁ ସରକାର ସଂକଳ୍ପବଦ୍ଧ। ଏହି ଶିବିରରେ ଆଜି ୬,୫୦୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ବଜେଟ୍‌ରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ ସହ “ଅଟଳ ରକ୍ତଦାନ ଅଭିଯାନ” ଆରମ୍ଭ କରାଯାଇଛି। ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଏବଂ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି। ଦେଶର ବିକାଶ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ-ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ ୭୦% ରୁ ହ୍ରାସ ପାଇ ୩୫% ରେ ପହଞ୍ଚିବା ସହ ସେମିକଣ୍ଡକ୍ଟର ଓ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ୨୦୪୭ ପୂର୍ବରୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ସେହିପରି ରାଜ୍ୟର ଯୁବଶକ୍ତିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢ଼ି ସମାଜସେବାରେ ନିୟୋଜିତ ହେବା ସହ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦୀଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହିତ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଇରାଶିଷ ଆଚାର୍ଯ୍ୟ ଓ ଦୁର୍ଗା ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।