କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, କିଟ୍ ବିଶ୍ୱବିଦ୍ୟାଳୟରେ ହେବ ଟାଟା ଆଇପିଏଲ୍ ଫ୍ୟାନ୍ ପାର୍କ

ଭୁବନେଶ୍ୱର, ୦୪/୦୪ : କିଟ୍ ବିଶ୍ୱବିଦ୍ୟାଳୟରେ ହେବ ଟାଟା ଆଇପିଏଲ୍ ଫ୍ୟାନ୍ ପାର୍କ । ଷ୍ଟାଡିୟମ ଭଳି ମଜା ଉଠାଇବେ କ୍ରିକେଟ ପ୍ରେମୀ । କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ ପୁଣି ଥରେ ଫେରିବାକୁ ଯାଉଛି ଆଇପିଏଲର କ୍ରେଜ୍। ଚଳିତ ଆଇପିଏଲ୍ ୨୦୨୬ ସିଜନକୁ ଅଧିକ ରୋମାଞ୍ଚକର କରିବା ପାଇଁ ଟାଟା ଆଇପିଏଲ୍ ପକ୍ଷରୁ ଭୁବନେଶ୍ୱରରେ ‘ଫ୍ୟାନ୍ ପାର୍କ’ର ଆୟୋଜନ କରାଯାଉଛି । ଏନେଇ ଆଜି ବିସିସିଆଇ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। କିଟର ଦୂତୀ ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କ୍ରିକେଟ ପ୍ରେମୀମାନେ ମାଗଣାରେ ଷ୍ଟାଡିୟମର ଅନୁଭୂତି ପାଇପାରିବେ। ଆଜି ଓ ଆସନ୍ତାକାଲି ୨ଟା ୩୦ ମିନିଟରୁ ଏହି ଫ୍ୟାନ୍ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇ ନାହିଁ। ବିଶାଳ ସ୍କ୍ରିନରେ ଲାଇଭ୍ ମ୍ୟାଚ୍ ସହିତ ମ୍ୟୁଜିକ୍, ଖାଦ୍ୟ ଷ୍ଟଲ୍, ଏବଂ ବିଭିନ୍ନ ପ୍ରକାରର ଗେମ୍ ଜୋନ୍ ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବ । ସେହିପରି ପ୍ରଶଂସକମାନେ ନିଜର ପ୍ରିୟ ଦଳ ଓ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଏଠାରେ ଫେସ୍ ପେଣ୍ଟିଂ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଟାଟା ପକ୍ଷରୁ ୬ଷ୍ଠ ଥର ପାଇଁ କିଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ୨୦୧୭ରେ ପ୍ରଥମ ଥର ପାଇଁ ଏହା କିଟରେ ଆରମ୍ଭ ହୋଇଥିଲା। କିଟର କ୍ରୀଡା ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ସୁବିଧାକୁ ଦୃଷ୍ଟିରେ ରଖି ବିସିସିଆଇ କିଟକୁ ଏକ ସ୍ଥାୟୀ ଭେନ୍ୟୁ ଭଳି ସୁଯୋଗ ଦେଇ ଆସୁଛି ।