ରାଜ୍ୟରେ ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ସରକାର

ଭୁବନେଶ୍ବର,୮ /୧୦: ମହାମାରୀ କରୋନା ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ସେ ବିଷୟରେ ଜଣାଇବାକୁ ଚିଠିରେ କହିଛନ୍ତି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଚିଠି ଜାରି‌ ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହି ମାମଲାର ସମସ୍ତ ହିତାଧିକାରୀଙ୍କ ସହ କଥା ହୋଇ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ସେନେଇ ରିପୋର୍ଟ ଦାଖଲ କରିବ‌ାକୁ କୁହାଯାଇଛି।

ମନ୍ଦିର ଖୋଲିବା ଉପରେ ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ‘କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାର ଯେଉଁ ଗାଇଡଲାଇନ କରିବେ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି।’