ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ମଲା କୁକୁରକୁ ଖାଇଲେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୨୨/୫: ଲକ୍‌ଡାଉନ ଗରିବ ପେଟକୁ ଲାତ ମାରିଛି। ଗରିବ, ଦିନ ମଜୁରିଆ ଭୋକ ଉପାସରେ ଛଟପଟ ହେଉଛନ୍ତି। କିଏ ଡଷ୍ଟବିନ୍‌ରେ ଫିଙ୍ଗାଯାଇଥିବା ବଳକା ଖାଦ୍ୟ ସଂଗ୍ରହ କରି ଖାଉଛି ତ କି ରାସ୍ତାରୁ ଅଇଁଠା ଗୋଟାଇ ଖାଉଛି। କିନ୍ତୁ ରାଜସ୍ଥାନରେ ଏକ ଦୃଶ୍ୟ ଲକଡାଉନରେ ଗରିବଙ୍କ ଦୁରବସ୍ଥା କେତେ ଭୟଙ୍କର ରହିଛି ତାହା ବୟାନ କରିଛି। ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ବସି ଖାଉଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଜନମାନସକୁ ବେଶ୍‌ ଆଘାତ ଦେଇଛି।

ସୂଚନା ଅନୁସାରେ, ରାଜସ୍ଥାନର ଜୟପୁର ସହର ଦେଇ ଯାଇଥିବା ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ବସି ତଳେ ପଡ଼ିଥିବା ଏକ ମଲା କୁକୁରକୁ ଖାଉଥିଲେ। ଏହା ଦେଖି ସେହିବାଟେ ଯାଉଥିବା ଜଣେ କାର୍‌ ଚାଳକ ତାଙ୍କୁ ବାରଣ କରିଥିଲେ। କିନ୍ତୁ ଅସହାୟ ପ୍ରବାସୀ ଜଣକ ୧୦ ଦିନ ହେଲା କିଛି ଖାଇ ନ ଥିବାରୁ ବାଧ୍ୟ ହୋଇ ତା’କୁ ଖାଉଥିବା କହିଥିଲେ। ଏଭଳି ଦୃଶ୍ୟ ଯେକୌଣସି ବ୍ୟକ୍ତିଙ୍କ ବିବେକକୁ ଆଘାତ ଦେବା ପାଇଁ ଯଥେଷ୍ଟ ରହିଥିଲା। ତେବେ କାର୍‌ ଚାଳକ ଜଣକ ସମ୍ପୃକ୍ତ ପ୍ରବାସୀଙ୍କୁ କିଛି ଖାଦ୍ୟ ପ୍ୟାକେଟ ଦେଇଥିଲେ।