ଭୁବନେଶ୍ବର, ୨୪/୦୪ : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଭାରତର ପଞ୍ଚାୟତିରାଜ ବ୍ୟବସ୍ଥାକୁ ତିନୋଟିସ୍ତରରେ ବିଭକ୍ତ କରାଯାଇଛି ଯେଉଁଥିରେ ଗ୍ରାମସ୍ତରରେ ଗ୍ରାମ ପଞ୍ଚାୟତ, ମଧ୍ୟବର୍ତ୍ତୀ ସ୍ତରରେ ବ୍ଲକ ପଞ୍ଚାୟତ, ଜିଲାସ୍ତରରେ ଜିଲା ପଞ୍ଚାୟତ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଶାସନ ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚି ପାରିଛି। ୨୪ ଏପ୍ରିଲ ୨୦୧୦ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ଅନୁଯାୟୀ, ତୃଣମୂଳ ସ୍ତରର କ୍ଷମତା ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ନାମରେ ପରିଚିତ ଅନୁଷ୍ଠାନର ମୂଳଦୁଆ ଆରମ୍ଭ ହୋଇଥିଲା। ଏହାସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟ ପରିସରକୁ ଏକ ବ୍ୟବସ୍ଥିତ ଆଧାର ପ୍ରଦାନ କରିଥିଲା। ୧୯୫୭ରେ ଏନେଇ କମିଟି ଗଠନ ହେବା ପରେ ପଞ୍ଚାୟତିରାଜ ଭାବନା କାର୍ଯ୍ୟକାରୀ ହୋଇଥିଲା। ୧୯୫୯ରେ ରାଜସ୍ଥାନ ପ୍ରଥମ ରାଜ୍ୟ ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଶକୁ ଆଣିଥିଲା। ତେବେ ଏହି ଦିବସକୁ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏପରିକି ଏହି ଦିବସର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଅନେକ କାର୍ଯ୍ଯକ୍ରମ ରାଜ୍ୟ ତଥା ଗ୍ରାମାଞ୍ଚଳରେ ଆୟୋଜିତ ହୋଇଥାଏ।