ସମ୍ବଲପୁର,୧୩ /୧: ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହୋଇଥିଲା। ୧୯୪୮ ଏପ୍ରିଲ୍ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଜବାହାର୍ଲାଲ୍ ନେହରୁ କ˚କ୍ରିଟ୍ କାମର ଶୁଭ ଦେଇଥିଲେ। ୧୯୫୭ ମସିହା ଜାନୁଆରି ୧୩ ତାରିଖରେ ଉଦ୍ଘାଟିତ ହୋଇଥିଲା ପୃଥିବୀର ଏହି ଦୀର୍ଘତମ ମାଟିବନ୍ଧ। ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୪ ବର୍ଷ ପୂରିଛି। ଆଜି ଏହାର ୬୫ତମ ପ୍ରତିଷ୍ଠା ଦିବସ। ତେବେ ହୀରାକୁଦ ପାଇଁ ଭିଟା ମାଟି ହରାଇବାର ୭୦ ବର୍ଷ ପୂରିବାକୁ ବସିଥିଲା ବେଳେ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନାହାନ୍ତି ଅଧିକାଂଶ ପରିବାର।
ବାସହରା ଲୋକଙ୍କୁ ଡିହ ଖଣ୍ଡେ ମିଳିନାହିଁ କି କ୍ଷତିପୂରଣ ଟଙ୍କାଏ ବି ମିଳିନାହିଁ। ଏହି ବନ୍ଧ ନିର୍ମାଣ ଓ ଜଳଭଣ୍ଡାରର ବିସ୍ତାର କାରଣରୁ ୨୧୮ ଗାଁ ପାଣିରେ ବୁଡ଼ିଥିଲାବେଳେ ୨୨ ହଜାର ପରିବାର ଉଦ୍ବାସ୍ତୁ ହୋଇଥିଲେ, ୨୦୦ରୁ ଅଧିକ ମଠ ମନ୍ଦିର ନିଜ ଅସ୍ତିତ୍ବ ହରାଇଥିଲା ବୋଲି ରେକର୍ଡ କହେ। କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁଯାୟୀ ହୀରାକୁଦ ପାଇଁ ୩୬୯ଟି ଗାଁ ଓ ୧.୫ ଲକ୍ଷ ଏକର ଜମି ବୁଡ଼ିଥିଲା। ୨୬୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ବର୍ତ୍ତମାନ ଉକ୍ତ ପରିବାର ଗୁଡ଼ିକ ବିଭାଜିତ ହୋଇ ଏକ ଲକ୍ଷ ପରିବାର ହେଲେଣି। ବିସ୍ଥାପିତଙ୍କ ଲମ୍ବା ଲଢ଼େଇ ପରେ ପ୍ରତି ପରିବାରକୁ ୧୦ ଡିସିମିଲ୍ ଘର ଡିହ ଯୋଗାଇ ଦେବାକୁ ୨୦୦୨ରେ ନିର୍ଦ୍ଦେଶ ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ମାତ୍ର ୨ ହଜାର ପରିବାରକୁ ଘରଡିହ ମିଳିଥିବା ସରକାରୀ ତଥ୍ୟରୁ ଜଣା ପଡ଼ିଛି।