ଅହମ୍ମଦାବାଦ,୭/୧: ଘଣ୍ଟାର କଣ୍ଟା ସବୁବେଳେ ଡାହାଣ ଆଡକୁ ବୁଲୁଥାଏ । ତେବେ ଏବେ ଏମିତି ଏକ ଘଣ୍ଟା ନିର୍ମାଣ କରାଯାଇଛି ଯାହାକି ସମ୍ପୂର୍ଣ୍ଣ ବିପରୀତ ଭାବେ କାମ କରିବ । ଗୁଜୁରାଟର ଦୁଇ ଜଣ ବ୍ୟକ୍ତି ଏପରି ଘଣ୍ଟା ତିଆରି କରିଛନ୍ତି ଯାହା ବିପରୀତ ଦିଗରେ ଚାଲିଥାଏ । ସାଧାରଣ ଘଣ୍ଟାର ଛୁଞ୍ଚି ସବୁବେଳେ ଡାହାଣକୁ ଘୂର୍ଣ୍ଣନ କରେ । କିନ୍ତୁ ଏହି ଘଣ୍ଟାର ଛୁଞ୍ଚି ବାମ ଦିଗକୁ ଘୂର୍ଣ୍ଣନ କରେ । ସେମାନେ ଏହି ଘଣ୍ଟାକୁ ‘ଟ୍ରାଇବାଲ ୱାଚ୍’ ନାମରେ ନାମିତ କରିଛନ୍ତି । ଏହି ଟ୍ରାଇବାଲ ୱାଚ୍ ପ୍ରସ୍ତୁତ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସ ବିଧାୟକ ଅନନ୍ତ ପଟେଲ ଏବଂ ଅନ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଦୀପ ପଟେଲ । ମଙ୍ଗଳବାର ଦିନ ଏହି ଟ୍ରାଇବାଲ ୱାଚ୍ ଲଞ୍ଚ କରାଯାଇଥିଲା । ଏହା ଖୁବ ଶୀଘ୍ର ବିକ୍ରୟ ପାଇଁ ବଜାରକୁ ଆସିବା ବୋଲି ଜଣାପଡିଛି ।
ଏହି ଘଣ୍ଟାର ପରିକଳ୍ପନା କାହିଁକି ଆସିଲା ପ୍ରଶ୍ନରେ ସମାଜସେବୀ ପ୍ରଦୀପ ପଟେଲ କହିଛନ୍ତି ଯେ ଥରେ ସେ ତାଙ୍କ ବନ୍ଧୁ ବିଜୟଭାଇ ଚୌଧୁରୀଙ୍କ ଘରେ ଓଲଟା ବୁଲୁଥିବା ଘଣ୍ଟା ଦେଖିଥିଲେ। ସେ ତାଙ୍କୁ ପଚାରିଥିଲେ ଯେ ଘଣ୍ଟା କାହିଁକି ବିପରୀତ ଦିଗରେ ଘୂର୍ଣ୍ଣନ କରୁଛି । ତା’ପରେ ସେ କହିଥିଲେ ଯେ ଏହା ପ୍ରକୃତିର ଚକ୍ର ଯାହା ଡାହାଣରୁ ବାମକୁ ଗତି କରେ । ବିଜୟଭାଇ ଚୌଧୁରୀଙ୍କ ଏହି କଥାବାର୍ତ୍ତାରେ ଅନୁପ୍ରାଣିତ ହୋଇ ସେ ‘ଟ୍ରାଇବଲ୍ ୱାଚ୍’ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପରେ ସେ ଅନ୍ୟ ବନ୍ଧୁମାନଙ୍କ ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଏକ ହଜାର ଘଣ୍ଟା ପ୍ରସ୍ତୁତ କରାଯାଇଛି। ଏହି ଘଣ୍ଟା ବିକ୍ରୟ ଉଦ୍ଦେଶ୍ୟରେ ଏହାର ସାତୋଟି ମଡେଲ ପ୍ରସ୍ତୁତ କରାଯାଇଛି । କଂଗ୍ରେସ ବିଧାୟକ ଅନନ୍ତ ପଟେଲ କହିଛନ୍ତି ଯେ ଏହି ଘଣ୍ଟା ଗୁଜୁରାଟର ୧୪ଟି ଜିଲ୍ଲାରେ ବିକ୍ରି ହେବ । ଏହା ସହିତ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଏହି ଘଣ୍ଟା ତିଆରି କରିବାକୁ ଶିକ୍ଷା ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ପାଞ୍ଚ ହଜାର ଘଣ୍ଟାର ଅର୍ଡର ମିଳିଛି ।
