ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ଵର, ୧୪/୦୮ : ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍ । ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି । ୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି GPS-ମ୍ୟାପ୍ଡ୍ ଜମି ଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି ।
ପୂର୍ବ ଫସଲ ଋତୁରେ, ଅର୍ଥାତ୍ ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା, ସେସବୁ ସ୍ଥାନର GPS କୋ-ଅର୍ଡିନେଟ୍ ମଧ୍ୟ ପୋଲିସ୍ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଛି । ଏହି ତଥ୍ୟକୁ ଆଧାର କରି ସମ୍ପୃକ୍ତ ଜମିଗୁଡ଼ିକ ଉପରେ ବ୍ୟବସ୍ଥିତ ଓ ନିରନ୍ତର ନିରୀକ୍ଷଣ କରାଯିବ। ବିଶେଷକରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷରେ ଜଡ଼ିତ ବ୍ୟକ୍ତିମାନେ ପ୍ରତିବର୍ଷ ସମାନ ସରକାରୀ ରାଜସ୍ୱ ଜମିକୁ ପୁନର୍ବାର ଚାଷ ପାଇଁ ବ୍ୟବହାର କରିବାର ପ୍ରବଣତା ରହିଥିବାରୁ ଏଥିପ୍ରତି ସଜାଗ ରହିବାକୁ ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଜମିରେ ପୁନର୍ବାର ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l ପୂର୍ବରୁ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରାଯାଇଥିବା ସମସ୍ତ ସରକାରୀ ରାଜସ୍ୱ ଜମି ଉପରେ ନିରନ୍ତର ନଜର ତଥା ସତର୍କ ଦୃଷ୍ଟି ରଖିବା ସହ ଗାଆଁ ଏବଂ ପ୍ଲଟ୍ ଅନୁଯାୟୀ ସମ୍ପୃକ୍ତ ଜମିର ବିବରଣୀ ସହ GPS କୋ-ଅର୍ଡିନେଟ୍ ସଂଗ୍ରହ କରି ପୂର୍ବରୁ ପ୍ରସ୍ତୁତ ରହିବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସରକାରୀ ରାଜସ୍ୱ ଜମିରେ ପୁନର୍ବାର ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ରହିଛି । ଗଞ୍ଜେଇ ଚାଷରେ ଲିପ୍ତ କୌଣସି ମାଫିଆ ବ୍ୟକ୍ତିବିଶେଷଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଜାରି କରିଛନ୍ତି ।