ଆଟଲାଣ୍ଟିକ୍ ସିଟି : ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିର୍ମିତ ଏକ ଭବ୍ୟ ହୋଟେଲ୍ ଓ କ୍ୟାସିନୋ ଟ୍ରମ୍ଫ ପ୍ଲାଜାକୁ ହଜାର ହଜାର ସଂଖ୍ୟାରେ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକାର ଆଣ୍ଟଲାଣ୍ଟିକ ସହରରେ ଟ୍ରମ୍ଫ ପ୍ଲାଜା ହୋଟେଲ୍ କ୍ୟାସିନୋ ପାଇଁ ବେଶ୍ ଜଣାଶୁଣା ଥିଲା । କିନ୍ତୁ ଏବେ ଏହି ବହୁତଳ ବିଶିଷ୍ଟ ହୋଟେଲକୁ ୩ ହଜାର ଡିନାମାଇଟ୍ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ଦେଖିଛନ୍ତି।
ଟ୍ରମ୍ପ ପ୍ଲାଜା ୧୯୮୪ ମସିହାରେ ଖୋଲାଯାଇଥିଲା ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟ୍ଟାଳିକା ଅସୁରକ୍ଷିତ ହୋଇପଡିଥିଲା । ତେଣୁ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ମାର୍ଟିନ୍ ସ୍ମାଲ । ସବୁଠୁ ବଡ କଥା ହେଉଛି, ଯେତେବେଳେ ଏହି ବିଲ୍ଡିଂକୁ ଭଙ୍ଗାଯାଉଥିଲା ସେତେବେଳେ କେବଳ ହଜାର ହଜାର ଲୋକ ଦେଖୁଥିଲେ ତା’ ନୁହେଁ ଏହାର ଲାଇଭ୍ ଟେଲିକାଷ୍ଟ ମଧ୍ୟ ହେଉଥିଲା ।
୩୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ମାତ୍ର ୨୦ ସେକେଣ୍ଟ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ସ୍ଥନୀୟ ମେୟରଙ୍କ କହିବାକଥା, ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାଶଂ ପ୍ରାୟ ୮ମହଲା ଉଚ୍ଚାର ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ ।