ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର, ୨୦/୨ : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବିବାହ ପାଇଁ ରବିବାର ନିର୍ବନ୍ଧ ସରିଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ୩ ମାସ ମଧ୍ୟରେ ବିବାହ ହେବ ବୋଲି ମଧ୍ୟ ଶ୍ରୀ ରଣା ସୂଚନା ଦେଇଛନ୍ତି ।

୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚଞ୍ଚଳ ରଣା ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଥିବା ବେଳେ ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଅଛନ୍ତି । ଓଡ଼ିଶାର ଅନୁଗୁଳ ଜିଲ୍ଲା ନିବାସୀ ଶ୍ରୀ ରଣା ଏନ୍‌ଆଇଟି ସିଲଚରରୁ ବିଟେକ୍‌ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସିରେ ଟପ୍ପର ହୋଇଥିଲେ । ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଳାଇ ସାରିଛନ୍ତି । ବଲାଙ୍ଗୀର ଜିଲ୍ଲାର ବିକାଶରେ ବିଶେଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଲବରେ ସଫଳତା ପାଇଁ ସେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାରେ ରହି ଆସିଛନ୍ତି ।

ସେହିପରି ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ସେ ଏହା ପୂର୍ବରୁ କଟକ ସିଏମ୍‌ସି କମିଶନର ଦାୟିତ୍ୱ ମଧ୍ୟ ତୁଳାଇଥିଲେ । ନିର୍ବନ୍ଧ ପରେ ଉଭୟେ ବାସଭବନ ବଗିଚାରେ ଦେଇଥିବା ଫଟୋରେ ଅନନ୍ୟା ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଚଞ୍ଚଳ ଏକ ଧଳା ରଙ୍ଗର ସେରୱାନି ପରିଧାନ କରିଥିବା ଦେଖିବାକୁ ମିଳିଛି । ତେବେ, ଆଜିର ନିର୍ବନ୍ଧରେ ଉଭୟଙ୍କ କେବଳ ଅତି ନିକଟ ସମ୍ପର୍କୀୟମାନେ ହିଁ ଉପସ୍ଥିତ ଥିବା ଜଣାପଡ଼ିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।