ଭୁବନେଶ୍ବର,୧୩ /୧: ସହରାଞ୍ଚଳରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଜାଗା ମିସନ୍ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭି ମାଥିଭାଥନନ୍ ପୁରସ୍କାର ଗ୍ରହଣ କରିଥିଲେ।
ମୋଟ୍ ୫ଟି ବର୍ଗ ମଧ୍ୟରୁ ଓଡ଼ିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି। ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନିଆଯାଇଥିଲା। ଜାଗା ମିସନ୍ କ୍ଷେତ୍ରରେ ଆଇନ୍ର ସଫଳ ରୂପାୟତ, ନୀତି ପ୍ରଣୟନ ଓ କାର୍ଯ୍ୟାନ୍ବୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ‘ଶ୍ରେଷ୍ଠ ରାଜ୍ୟ’ ପୁରସ୍କାର ପାଇଛି। ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ ସଂଗଠନ ସହରାଞ୍ଚଳରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିଜ୍ ଏଜେନ୍ସି’ ପୁରସ୍କାର ପାଇଛି। ୫ଟି ବର୍ଗରେ ଦିଅାଯାଉଥିବା ପୁରସ୍କାରଗୁଡ଼ିକ ହେଲା ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌରସଂସ୍ଥା, ଶ୍ରେଷ୍ଠ ସିଭିକ୍ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିସନ୍ ଓ ଶ୍ରେଷ୍ଠ ରାଜ୍ୟ ଅର୍ଥ କମିସନ୍। ଆଜି ଏହି ପୁରସ୍କାର ମିଳିଥିବା ଯୋଗୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ପଦାଧିକାରୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି। ଆଜିର ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାଏକ, ଇଆଇସି(ପିଏଚ୍) ବସନ୍ତ କୁମାର ସେନାପତି ଓ ଉପ ଶାସନ ସଚିବ ଶାରଦା ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ।