କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ୱର, ୮/୧୧: (ଓଡିଶା ଖବର) – ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡ. ରାମଦାସ ଅଠୱାଲେ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ବିଭାଗ ବୁଲି ଦେଖିବା ପରେ ସେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଡ. ଅଠୱାଲେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଲେ, ତୁମମାନଙ୍କୁ ଅଚ୍ୟୁତ ସାମନ୍ତ ପାଠ ପଢ଼ିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ତାର ସଦୁପଯୋଗ କର। ପାଠ ପଢ଼ି ଶିକ୍ଷିତ ହୋଇ ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶର ପ୍ରଗତିରେ ଯୋଗଦାନ ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଲେ, ମୁଁ ଅଚ୍ୟୁତ ସାମନ୍ତଙ୍କଠାରୁ କିଟ୍‍ ଓ କିସ୍‍ ବିଷୟରେ ପୂର୍ବରୁ ବହୁବାର ଶୁଣିଥିଲି। ଆଜି ଏହି ଅନୁଷ୍ଠାନ ପରିଦର୍ଶନ କରିବା ପରେ ଅଚ୍ୟୁତ ସାମନ୍ତ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରୁଥିବା ମୋର ହୃଦୟଙ୍ଗମ ହୋଇଛି ବୋଲି ଡ. ଅଠୱାଲେ କହିଥିଲେ। କିସ୍‍ ରେ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ ଆଚାର ବ୍ୟବହାର ମୋତେ ଅଭିଭୂତ କରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ କିଟ୍‍ ଓ କିସ୍‍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।