ନୂଆଦିଲ୍ଲୀ, ୨୧/୦୧ : ସପ୍ତାହକ ମଧ୍ୟରେ ତଳକୁ ଖସିଛନ୍ତି ବିରାଟ କୋହଲି । ଦିନିକିଆ ରାଙ୍କିର ପ୍ରଥମ ସ୍ଥାନରେ ଥିବା ବିରାଟଙ୍କୁ ପଛରେ ପକାଇ ଏହି ସ୍ଥାନକୁ ନ୍ୟୁଜିଲାଣ୍ଡ କ୍ରିକେଟର୍ ଡିରେଲ୍ ମିଚେଲ୍ ଅକ୍ତିଆର କରିନେଇଛନ୍ତି । ନିକଟର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ମିଚେଲ୍ ଏହି ସଫଳତାକୁ ନିଜ ନାମରେ କରିଛନ୍ତି । କୋହଲି ଗତ ସପ୍ତାହରେ ଆଇସିସି ଦିନିକିଆ ରାଙ୍କିର ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ୨୦୨୧ ପରେ ପ୍ରଥମ ଥର ପାଇଁ ସେ ଏହି ସ୍ଥାନକୁ ଆସିଥିଲେ । ମାତ୍ର ଦ୍ୱିତୀୟରେ ଥିବା ମିଚେଲ୍ ପ୍ରଥମ ସ୍ଥାନକୁ ଆସିଛନ୍ତି । ରେଟିଂ ପଏଣ୍ଟରେ ମିଚେଲ ୮୪୫ ପଏଣ୍ଟ ସହିତ ପ୍ରଥମ ଏବଂ କୋହଲି ୭୯୫ ପଏଣ୍ଟ ସହିତ ଦ୍ୱିତୀୟରେ ରହିଛନ୍ତି । ଏମାନଙ୍କ ବହୁ ପଛରେ ଇବ୍ରାହିମ ଜାଦରାନ, ରୋହିତ ଶର୍ମା, ଶୁଭମନ ଗିଲ ଏବଂ ବାବର ଆଜମ ରହିଛନ୍ତି । ଗତ ସପ୍ତାହରେ ବଦୋଦରାରେ ଖେଳାଯାଇଥିବା ନ୍ୟୁଜଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ବିରାଟ ୯୧ ବଲରେ ୯୩ ରନର ପାଳି ଖେଳିଥିଲେ ଏବଂ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ବିଶ୍ୱର ଏକ ନମ୍ବର ବ୍ୟାଟର୍ ହୋଇଥିଲେ । ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ ମିଚେଲ୍ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲେ । ରେଟିଂ ପଏଣ୍ଟରେ ବିରାଟ କୋହଲିଙ୍କୁ ୭୮୫ ପଏଣ୍ଟ ଏବଂ ମିଚେଲଙ୍କୁ ୭୮୪ ପଏଣ୍ଟ ମିଳିଥିଲା ।