କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ : ଏଫ୍‍ଆଇଭିବି, କିଟ୍‍ – କିସ୍‍ ଉତ୍କର୍ଷ କେନ୍ଦ୍ର ଉଦ୍‍ଘାଟିତ

ଭୁବନେଶ୍ୱର, ୧୪/୧୨ : (ଓଡିଶା ଖବର) – ଓଡ଼ିଶାରେ କିଟ୍‍ ଓ କିସ୍‍ ସହଯୋଗରେ ୨୦୨୬ରୁ ଲଗାତାର ୩ବର୍ଷ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ସଭାପତି ଫାବିଓ ଆଜେଭେଦୋ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କିଟ୍‍ ଓ କିସ୍‍ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶ ପାଇଁ ଆସନ୍ତା ୨୦୨୬, ୨୦୨୭ ଓ ୨୦୨୮ ବର୍ଷରେ କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ। ଏଫଆଇଭିବି ସହଯୋଗରେ କିଟ୍‍ ଓ କିସ୍‍ ରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଭଲିବଲ ମହାକୁମ୍ଭ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ଫାବିଓ କହିଲେ, ଭାରତ ତଥା ଓଡ଼ିଶାରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଓ ମହିଳା ସଶକ୍ତିକରଣ ନିମନ୍ତେ ଏହି ମହାକୁମ୍ଭ ଆୟୋଜନ କରାଯାଇଛି। ୨୦୩୨ ସୁଦ୍ଧା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ୧.୨ ବିଲିୟନ୍‍ ଲୋକଙ୍କୁ ଯୋଡ଼ିବା ଏଫ୍‍ଆଇଭିବି ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ଶକ୍ତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ଓ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏଫ୍‍ଆଇଭିବିର ଉଦ୍ଦେଶ୍ୟ।

ଏହି ସାମ୍ବାଦିକ ସମ୍ମିଳନୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏଫଆଇଭିବି ସହିତ ଆମର ସହଭାଗିତା ଯୋଗୁଁ ଓଡ଼ିଶାକୁ ଏଭଳି କାର୍ମଶାଳା ଜରିଆରେ ବିଶ୍ୱସ୍ତରୀୟ ଦକ୍ଷତା ଅଣାଯାଇପାରିଛି। ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ। କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ୍‍ ମହାକୁମ୍ଭର ଲକ୍ଷ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି ଅବସରରେ କିଟ୍‍, କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ ଫାବିଓଙ୍କ ଦ୍ୱାରା ଏଫ୍‍ଆଇଭିବି- କିଟ୍‍, କିସ୍‍ ଉତ୍କର୍ଷ କେନ୍ଦ୍ରର ଉଦ୍‍ଘାଟନ କରାଯାଇଥିଲା। ଏହା ସହ ଶ୍ରୀ ସାମନ୍ତଙ୍କ ଉପସ୍ଥିତିରେ ଫାବିଓଙ୍କ ଦ୍ୱାରା ଏକ ସ୍ପୋଟ୍‍ସ ଜୋନ୍‍ ଉଦ୍‍ଘାଟିତ ହୋଇଥିଲା।

ସୂଚନାଯୋଗ୍ୟ, ଏକ ବର୍ଣ୍ଣଢ଼୍ୟ ପରିବେଶ ମଧ୍ୟରେ ୪୦ ହଜାର ଛାତ୍ରଛାତ୍ରୀ ଦର୍ଶକଙ୍କ ଉପସ୍ଥିତିରେ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା। ଭଲିବଲ୍‍ ମହାକୁମ୍ଭର ବିଭିନ୍ନ ଦିନରେ କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଭଲିବଲ୍ ପ୍ରଶିକ୍ଷକଙ୍କ ପାଇଁ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ମହିଳା ଭଲିବଲ୍ କୋଚଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ସହ ସଶକ୍ତିକରଣ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୫୦୦ ଅଂଶଗ୍ରହଣକାରୀଙ୍କ ବ୍ୟତୀତ ଭାରତ ସମେତ ବିଶ୍ୱର ୨୦୦ରୁ ଅଧିକ ଭଲିବଲ୍ ପ୍ରଶିକ୍ଷକ, ଖେଳାଳି ଏବଂ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ। ସେମାନେ ଏଠାରୁ ତାଲିମ ପାଇ ନିଜ ଅଞ୍ଚଳରେ ଭଲିବଲ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ। ଫଳରେ ଏହା ଦ୍ୱାରା ୫୦ ହଜାରରୁ ଊର୍ଦ୍ଧ୍ୱ ଭଲିବଲ ଖେଳାଳି ଉପକୃତ ହେବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଭଲିବଲ ପ୍ରଶିକ୍ଷକ ଜନ୍ କେସେଲ୍ ଏବଂ ଜାନା କୁଲାନ୍ ପ୍ରମୁଖ ୪ଟି ଇନ୍‍ଡୋର ଓ ୪୦ରୁ ଊର୍ଦ୍ଧ୍ୱ ଆଉଟଡୋର କୋର୍ଟରେ ଗତିଶୀଳ ଅନ-କୋର୍ଟ ତାଲିମ, ଉନ୍ନତ କୌଶଳ ଅଧିବେଶନ, ପ୍ରଶିକ୍ଷକ-ବିକାଶ ପ୍ରୟୋଗଶାଳା ଓ ଗଣ ଅଂଶଗ୍ରହଣ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ଯୁବ କଲ୍ୟାଣରେ ଭଲିବଲର ଭୂମିକା, ଭଲିବଲ୍‍ ଜରିଆରେ ତୃଣମୂଳସ୍ତରରେ ପରିବର୍ତ୍ତନ ଏବଂ ଭଲିବଲ୍ ମାଧ୍ୟମରେ ମହିଳା ସଶକ୍ତିକରଣ, ସମାନତା ଏବଂ ବିଶ୍ୱ ସଶକ୍ତିକରଣକୁ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଫାବିଓ ଆଜେଭେଡୋ, ଅଚ୍ୟୁତ ସାମନ୍ତ, ଅଭିଜିତ ବି, ଅଭିନବ ବିନ୍ଦ୍ରା, ଜନ୍‍ କେସେଲ୍‍ ଓ ଜାନା କୁଲାନ୍‍ ପ୍ରମୁଖ ଏଥିରେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ।