ବଙ୍ଗଳାରେ ବଦଳିବ ସ୍କୁଲ ପାଠ୍ୟପୁସ୍ତକ : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯/୧୦ : ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ପଢ଼ାଯାଉଥିବା ବଙ୍ଗଳା ଭାଷା ଓ ଇତିହାସ ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ପାଠ୍ୟକ୍ରମ ସମୀକ୍ଷା କମିଟି ପାଠ୍ୟପୁସ୍ତକରେ ବ୍ୟବହୃତ କେତେକ ଶବ୍ଦ ପରିବର୍ତ୍ତନ, ଇତିହାସ ପାଠ୍ୟକ୍ରମରେ ସଂଶୋଧନ ଏବଂ ନୂଆ ବିଷୟବସ୍ତୁ ସାମିଲ କରିବାକୁ ସୁପାରିସ କରିଛି । ପ୍ରସ୍ତାବ ଅନୁଯାୟୀ ବଙ୍ଗଳା ପାଠ୍ୟପୁସ୍ତକରେ ପାଣି ବଦଳରେ ଜଳ ଏବଂ ଅବ୍ବା ବଦଳରେ ବାବା ଶବ୍ଦ ବ୍ୟବହାର କରାଯିବ ।

କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ଚାଟାର୍ଜୀ ଏହି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ସମୀକ୍ଷା କମିଟିର ମୁଖ୍ୟ ଅଛନ୍ତି । ତାଙ୍କ କହିବା ଅନୁଯାୟୀ, ନୂଆ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣ ୨୦୨୭ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି । କମିଟି ମୁଖ୍ୟ ଦେବାଶିଷ ଚାଟାର୍ଜୀ କହିଛନ୍ତି ଯେ, ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ କମିଟିକୁ ଖୁବ୍ କମ୍ ସମୟ ମିଳିଛି । ତେଣୁ ଏଥର ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ ପରିବର୍ତ୍ତେ ଆବଶ୍ୟକ ସଂଶୋଧନ ଓ ତ୍ରୁଟି ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଆସନ୍ତା ଜାନୁଆରୀ ୨ ସୁଦ୍ଧା ପୁସ୍ତକ ଉପଲବ୍ଧ କରାଇବାକୁ ହେବ । ଏଥିପାଇଁ ୧୨ କୋଟିରୁ ଅଧିକ ପୁସ୍ତକ ଛପାଯିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ସିରାଜୁଦ୍ଦୌଲାଙ୍କ ଉପରେ ଆଧାରିତ ଏକ ନାଟକ ଏବଂ ଟାଗୋରଙ୍କ କବିତା ଆଫ୍ରିକାକୁ ପାଠ୍ୟକ୍ରମରୁ ବାଦ୍ ଦେବାକୁ ସୁପାରିସ କରାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅକ୍ଟୋବର ୨୫ରେ କହିଥିଲେ ଯେ, ରାଜ୍ୟ ସରକାର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି । ସେତେବେଳେ ପାଠ୍ୟକ୍ରମ ଓ ପାଠ୍ୟଚର୍ଯ୍ୟା ସମୀକ୍ଷା କମିଟିର ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ ମିଳିନଥିବା ସେ କହିଥିଲେ । ଏହି ପ୍ରସ୍ତାବଗୁଡ଼ିକ ଲାଗୁ ହେଲେ ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ଭାଷା, ଇତିହାସ ଓ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।