କିସରେ ପାଳିତ ହେଲା ବିଶ୍ୱ ଜନଜାତି ଦିବସ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର, ୧୦/୦୮ : କିସରେ ପାଳିତ ହେଲା ବିଶ୍ୱ ଜନଜାତି ଦିବସ । ସାରା ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ‘ବିଶ୍ୱ ଜନଜାତି ଦିବସ’ ପାଳନ କରାଯାଇଥାଏ । ତେଣୁ ଆଜି କିସରେ ଏହି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆଦିବାସୀମାନଙ୍କର ସଂସ୍କୃତି, ଅଧିକାର ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍ ପରିସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଗତ ୩୫ ବର୍ଷ ଧରି କିସ୍ ଜରିଆରେ ଜନଜାତି ସମ୍ପ୍ରଦାୟର ପ୍ରଗତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା କହିଥିଲେ। ବିଶେଷ କରି ଜନଜାତିଙ୍କ ପରମ୍ପରା, ସଂସ୍କୃତି, ଭାଷା, ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ଶିକ୍ଷା ଓ ମୌଳିକ ଅଧିକାର ପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଜାତିସଂଘ ଜନଜାତି ସମ୍ପ୍ରଦାୟର ଅଧିକାର, ସଂସ୍କୃତି, ଭାଷା ଓ ପରମ୍ପରାର ସୁରକ୍ଷା ପାଇଁ ଏହି ଦିବସକୁ ସ୍ୱୀକୃତି ଦେଇଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଟ୍ରାଇବାଲ୍ ଆଡଭାଇଜରୀ କାଉନସିଲ୍ ପକ୍ଷରୁ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ କିସରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀ, ଗବେଷକଓ ଅଧ୍ୟାପକମାନେ ସାମିଲ ହୋଇଥିଲେ।ଚଳିତ ବର୍ଷର ଜାତିସଂଘର ଥିମ୍ “ଅନରିଙ୍ଗ୍ ଇଣ୍ଡିଜେନସ ମିଡୱେଭସ୍: ସେଫଗାର୍ଡିଙ୍ଗ୍ ଲାଇଫ ଆଣ୍ଡ ୱେଲବିଙ୍ଗ” ଉପରେ ଆଲୋଚନା ହୋଇଥିବାବେଳେ କିସ୍ ପକ୍ଷରୁ “ଥିଲି କଣ, ହେଲି କଣ, ହେବି କଣ” ବିଷୟ ଉପରେ ଆଲୋଚନା କରାଯାଇଥିଲା। କିସ୍ ପରିସରରେ ଥିବା ଜନଜାତି ବୀରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ପରେ ବିଭିନ୍ନ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ନିଜ ଜୀବନ ଅନୁଭୂତି ଓ ଶିକ୍ଷାଗତ ସଫଳତା ସମ୍ପର୍କରେ ମତ ରଖିଥିଲେ।